ଦେଶରେ ୧ ଲକ୍ଷ ୪୫ ହଜାର ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ଅତିକ୍ରମ କରିଛି। ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଅପଡେଟ୍ ଅନୁଯାୟୀ, ବର୍ତ୍ତମାନ ଦେଶରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୩୮୦ ରହିଛି, ଯେଉଁଥିରୁ ୪ ହଜାର ୧୬୭ ଜଣ ଲୋକ ପ୍ରାଣ ହରାଇଛନ୍ତି | ଏଥି ସହିତ ୬୦ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାର ୫୩୫ ଟି ନୂଆ କରୋନା ମାମଲା ରୁଜୁ ହୋଇଛି ଏବଂ ୧୪୬ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୮୦ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ୬୬୭ ରେ ପହଞ୍ଚିଛି, ସେଥିମଧ୍ୟରୁ ୧୬୯୫ ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁରେ କରୋନା ପଜିଟିଭ ମାମଲା ୧୭ ହଜାର ଅତିକ୍ରମ କରିସାରିଛି ଏବଂ ଏପର୍ଯ୍ୟନ୍ତ ୧୧୮ ଜଣ ଲୋକ ପ୍ରାଣ ହରାଇଛନ୍ତି।

ମହାରାଷ୍ଟ୍ର ଏବଂ ତାମିଲନାଡୁ ପରେ ଗୁଜୁରାଟରେ ସଂକ୍ରମଣ ଶୀଘ୍ର ବ୍ୟାପିଛି। ବର୍ତ୍ତମାନ ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୧୪ ହଜାର ୪୬୦ କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୮୮୮ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀରେ ମଧ୍ୟ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୪ ହଜାର ଅତିକ୍ରମ କରିଛନ୍ତି। ଏପର୍ଯ୍ୟନ୍ତ ଏଠାରେ ୨୭୬ ଜଣଙ୍କର ମୃତ୍ୟୁ ହୋଇଛି।

REUTERS/Carl Recine

ଏହା ବ୍ୟତୀତ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରାଜସ୍ଥାନରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ହେଉଛି ୭୩୦୦, ଯେଉଁଥିରେ ୧୬୭ ଜଣଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୬୮୫୯, ଯେଉଁଥିରେ ୩୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ମଧ୍ୟ ନିଶ୍ଚିତ ହୋଇଥିବା ମାମଲା ସଂଖ୍ୟା ୬୫୩୨ ରେ ପହଞ୍ଚିଛି ଯେଉଁଥିରେ ୧୬୫ ଜଣଙ୍କର ମୃତ୍ୟୁ ଘଟିଛି। ବିହାରରେ ରୋଗୀଙ୍କ ସଂଖ୍ୟା ୨୭୩୦ ଥିବାବେଳେ,୧୩ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର