ଚୀନ ସରକାରଙ୍କ ସମସ୍ୟା ବଢିଲା, ଜେଲଗୁଡ଼ିକୁ ବ୍ୟାପିଲା କରୋନା ଭାଇରସ ସଂକ୍ରମଣ

ବେଜି : କରୋନା ଭାଇରସ ଯୋଗୁଁ ଚୀନର ସ୍ଥିତି ଦିନକୁ ଦିନ ଅଧିକ ଗୁରୁତର ହେଉଛି । ଶୁକ୍ରବାର ସକାଳ ସୁଦ୍ଧା ଏହି ରୋଗରେ ପ୍ରାୟ ୨୨୪୭ ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । ଏହି ସଂଖ୍ୟାର ପ୍ରାୟ ୯୮ ପ୍ରତିଶତ ଚୀନରୁ ବୋଲି ଜଣାପଡ଼ିଛି । କେବଳ ଚୀନ ନୁହଁ, ଏହି ରୋଗ ଧୀରେ ଧୀରେ ବିଶ୍ୱର ଅନ୍ୟ ଦେଶମାନଙ୍କୁ ବ୍ୟାପିବା ଆରମ୍ଭ କରିଛି । ଚୀନର ଉହାନରେ କରୋନା ଭାଇରସ ସଂକ୍ରମଣରେ ଆଉ ଜଣେ ଡାକ୍ତର ମୃତ୍ୟୁବରଣ କରିଛନ୍ତି ।

ଚୀନ ସରକାରଙ୍କ ଆଗରେ ଆଉ ଏକ ବଡ଼ ସମସ୍ୟା ଦେଖାଦେଇଛି, ଯାହାକି ଆଗକୁ ସ୍ଥିତିକୁ ଆହୁରି ଜଟିଳ କରିବ । ସମସ୍ୟାଟି ହେଉଛି, ଚୀନର ଜେଲଗୁଡ଼ିକରେ ମଧ୍ୟ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇଛି । ବର୍ତ୍ତମାନସୁଦ୍ଧା ଚୀନରେ ପ୍ରାୟ ୪୦୦ କଏଦୀଙ୍କ ଶରୀରରେ କରୋନା ଭାଇରସ ସଂକ୍ରମଣ ଚିହ୍ନଟ ହୋଇଛି।

ସେଥି ମଧ୍ୟରୁ ୨୩୦ଟି ମାମଲା ଉହାନ ମହିଳା ଜେଲରେ ଚିହ୍ନଟ ହୋଇଥିବା ବେଳେ ଆଉ କିଛି ମାମଲା ସାୟାଂ ଅଞ୍ଚଳରେ ଥିବା ଏକ ଜେଲରେ ଚିହ୍ନଟ ହୋଇଛି । ଜେଲଗୁଡ଼ିକରେ ସଂକ୍ରମଣ ଆରମ୍ଭ ହୋଇଯାଇଥିବାରୁ ତାହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । କାରଣ ଏହି ସଂକ୍ରମଣ ଧୀରେ ଧୀରେ ଅନ୍ୟଆଡ଼ିକୁ ବ୍ୟାପିବା ଆଶଙ୍କା ବଢିଯାଇଛି।

ଚୀନର ସାଙ୍ଗଡଙ୍ଗ ପ୍ରଦେଶରେ ଥିବା ରେନଚେଙ୍ଗ୍‌ ଜେଲରେ ୨୦୦ କଏଦୀଙ୍କ ଶରୀରରେ ମଧ୍ୟ କରୋନା ଭାଇରସ ଚିହ୍ନଟ ହୋଇଛି ବୋଲି ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର