ସାଢେ ୭ ଲକ୍ଷରେ ପହଞ୍ଚିଲା ବିଶ୍ୱର କରୋନା ସଂକ୍ରମିତ ସଂଖ୍ୟା, ୩୫ ହଜାର ମୃତ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଢେ ୭ ଲକ୍ଷରେ ଓ ମୃତ୍ୟୁ ସଂଖ୍ୟା ୩୫ ହଜାରରେ ପହଞ୍ଚିଛି । ଏହି ଭାଇରସ ସଂକ୍ରମଣ କ୍ଷେତ୍ରରେ ଆମେରିକା ସମସ୍ତଙ୍କୁ ପଛରେ ପକାଇଦେଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଦେଢଲକ୍ଷ ନିକଟବର୍ତ୍ତି ହୋଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୨୬୦୮ ରେ ପହଞ୍ଚିଛି । ଇଟାଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭୬୮୯ ରେ ଓ ମୃତ୍ୟୁସଂଖ୍ୟା ୧୦,୭୭୯ ରେ ପହଞ୍ଚିଛି । ସେହିପରି ସ୍ପେନରେ ସଂକ୍ରମିତଙ୍କ ସଂଖ୍ୟା ୮୫୧୯୫ ଓ ମୃତ୍ୟୁସଂଖ୍ୟା ୭୩୪୦ ରେ ପହଞ୍ଚିଛି । ତେବେ ସୁଖର କଥା ହେଉଛି ବିଶ୍ୱରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୫୭ ହଜାରରେ ପହଞ୍ଚିଛି ।
ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭୧ ରେ ପହଞ୍ଚିଛି । ଏହି ରିପୋର୍ଟ ଅନୁସାରେ ଦେଶରେ ୧୦୦ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଥିବାବେଳେ ୨୯ ଜଣ ମୃତ୍ୟୁବରଣ କରିଛନ୍ତି । ମହାରାଷ୍ଟ୍ରରେ ମୋଟ ସଂକ୍ରମିତ ସଂଖ୍ୟା ୧୯୩ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୮ ରହିଛି । କେରଳରେ ମୋଟ ସଂକ୍ରମିତ ସଂଖ୍ୟା ୧୯୪ ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ରହିଛି । ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୩ ରହିଛି ।

ସମ୍ବନ୍ଧିତ ଖବର