କରୋନା ଭାଇରସ୍‌: ଭାରତ କେତେ ପ୍ରସ୍ତୁତ?

ଭାରତର ବିଶାଳ ଜନସଂଖ୍ୟା ଏବଂ ସ୍ବାସ୍ଥ୍ୟ ପଦ୍ଧତି ସମସ୍ୟା ବଢ଼ାଇବ

ନୂଆଦିଲ୍ଲୀ: ନଭେଲ କରୋନା ଭାଇରସ୍‌ ଏବେ ସମଗ୍ର ବିଶ୍ବରେ ବ୍ୟାପିବାରେ ଲାଗିଛି। ଚୀନ୍‌ ବାହାରେ ଏବେ ଅନ୍ୟ ଦେଶଗୁଡ଼ିକରେ ଭାଇରସ୍‌ ଦ୍ରୁତ ଗତିରେ ବ୍ୟାପିଥିବାରୁ ଭାରତର ଚିନ୍ତା ବଢ଼ିଯାଇଛି। ବିଶାଳ ଜନସଂଖ୍ୟା, ସମସ୍ୟାଗ୍ରସ୍ତ ସ୍ବାସ୍ଥ୍ୟସେବା‌ ଏବଂ ପ୍ରବାସୀଙ୍କ ସଂଖ୍ୟା ଅଧିକ ଥିବାରୁ ଏହା ଭାରତ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଭାରତରେ ୩ ଜଣ ଭାଇରସ୍‌ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି। କିନ୍ତୁ ପଡ଼ୋଶୀ ରାଷ୍ଟ୍ର‌ ଚୀନ୍‌ରେ ଯେଭଳି ଭୟାନକ ଭାଇରସ୍‌ ବ୍ୟାପିଛି ତାଦ୍ବାରା ଭାରତରେ ଯେ ଭାଇରସ୍‌ ନ ବ୍ୟାପିବ ତାହା କହିହେବ ନାହିଁ।

ଆମେରିକାର ଏକ ଗୁଇନ୍ଦା ସଂସ୍ଥା ଏବେ କରୋନା ବ୍ୟାପିବା ନେଇ ଯାଞ୍ଚ କରୁଛି। ତେବେ ଭାରତ କିଭଳି ଭାଇରସ୍‌ ସହ ମୁକାବିଲା କରିବ ସେନେଇ ଆମେରିକା ମଧ୍ୟ ଚିନ୍ତା ପ୍ରକଟ କରିଛି। ଭାରତର ବିଶାଳ ଜନସଂଖ୍ୟା ଏବେ ଭାରତ ପାଇଁ ଭାଇରସ୍‌ ରୋକିବା ଦିଗରେ ପ୍ରମୁଖ ପ୍ରତିବନ୍ଧକ ହେବ। ଭାରତରେ ପ୍ରତି ବର୍ଗ କିମିରେ ୪୨୦ ଜଣ ବସବାସ କରୁଛନ୍ତି , ଯେଉଁଠି ଚୀନ୍‌ରେ ପ୍ରତି ବର୍ଗ କିମିରେ ୧୪୮ ଲୋକ ବସବାସ କରୁଛନ୍ତି। ଚୀନ୍‌ ପରି ଭାରତରେ ମଧ୍ୟ ଆଭ୍ୟନ୍ତରୀଣ ପ୍ରବାସୀଙ୍କ ସଂଖ୍ୟା ଅଧିକ। ୨୦୧୧ ଜନଗଣନା ଅନୁଯାୟୀ ୪୫୦ ନିୟୁତ ‌ଲୋକ ଚାକିରି ସୁଯୋଗରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଛନ୍ତି। ଅନେକ ଲୋକ ମଧ୍ୟ ନିୟମିତ କାମ ପାଇଁ ଗ୍ରାମରୁ ସହରକୁ ଆସୁଛନ୍ତି। ଏହାଦ୍ବାରା ଭାଇରସ୍‌କୁ ରୋକିବା ଅତୀବ କଷ୍ଟକର ହୋଇଛି। ଚୀନ୍‌ ସମ୍ପୂର୍ଣ୍ଣ ହୁୱେଇ ପ୍ରଦେଶକୁ ବନ୍ଦ କରିଦେଇଥିବା ବେଳେ ଏଭଳି ସ୍ଥିତି ଭାରତ କ୍ଷେତ୍ରରେ ସମ୍ଭବପର ନୁ‌ହେଁ। ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଭାରତ ଯେତିକି ଖର୍ଚ୍ଚ କରୁଛି ତାହା ପର୍ଯ୍ୟାପ୍ତ ହେଉନାହିଁ ଏବଂ ଉନ୍ନତ ସ୍ବାସ୍ଥ୍ୟସେବା ସମସ୍ତଙ୍କୁ ଉପଲବ୍ଧ ହେଉନାହିଁ। ଜିଡିପିର ଏହା ମାତ୍ର ୩.୭ ପ୍ରତିଶତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟୟ କରୁଛି।

ସମ୍ବନ୍ଧିତ ଖବର