୪ ପାକିସ୍ତାନୀ ଛାତ୍ରଙ୍କଠାରେ କରୋନା ଭାଇରସ ଚିହ୍ନଟ

ବେଜିଂ : ଚୀନରେ କରୋନା ଭାଇରସ ଦିନକୁ ଦିନ ଅଧିକ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । ବୁଧବାର ସୁଦ୍ଧା ମୃତ୍ୟୁସଂଖ୍ୟା ୧୩୦ ଟପିଯାଇଛି । ଆହୁରି ପ୍ରାୟ ୧୫୦୦ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଶହ ଶହ ଲୋକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିବା ଆଶଙ୍କା ରହିଛି ।

ଏହି ସଂକ୍ରମଣ ଏବେ ଚୀନରେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ବ୍ୟାପିବା ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଚୀନରେ କାମ କରୁଥିବା ୬ ବିଦେଶୀ- ୪ ପାକିସ୍ତାନୀ ଓ ୨ ଅଷ୍ଟ୍ରେଲିଆ ନାଗରିକଙ୍କ ଶରୀରରେ ସଂକ୍ରମଣ ଚିହ୍ନଟ ହୋଇଛି । ତେବେ ଏହା ଫଳରେ ଉହାନରେ ଥିବା ଭାରତୀୟ ଲୋକମାନଙ୍କୁ ନେଇ ଆଶଙ୍କା ବଢିଯାଇଛି । ସେମାନେ ମଧ୍ୟ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।
ସଂକ୍ରମିତ ହୋଇଥିବା ୪ ପାକିସ୍ତାନି ଛାତ୍ର ଉହାନରେ ରହୁଥିବା ପାକିସ୍ତାନୀ ସରକାର ସୂଚନା ଦେଇଛନ୍ତି । କରୋନା ଭାଇରସର କେନ୍ଦ୍ରସ୍ଥଳ ଉହାନରେ ଏବେ ପ୍ରାୟ ୫୦୦ ପାକିସ୍ତାନୀ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହା ଫଳରେ ଖୁବଶୀଘ୍ର ଭାରତୀୟ ଉପମହାଦେଶରେ ଏହି ଭାଇରସ ପହଞ୍ଚିବା ଆଶଙ୍କା ବଢିଯାଇଛି ।

କେବଳ ପାକିସ୍ତାନୀ ନୁହଁନ୍ତି ଏହି ସହରରେ ପ୍ରାୟ ୫୦୦ ଭାରତୀୟ ଛାତ୍ରଛାତ୍ରୀ ରହି ପାଠପଢୁଛନ୍ତି । ଏହା ଫଳରେ ଭାରତ ସରକାରଙ୍କ ଚିନ୍ତା ବଢିଯାଇଛି । ଏଥିପାଇଁ ଚୀନଯାଉଥିବା ଭାରତୀୟ ଯାତ୍ରୀମାନଙ୍କୁ ସରକାର ସତର୍କ କରାଇଦେଇଛନ୍ତି । ଚୀନ ଯିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ଏହି ପରାମର୍ଶରେ କୁହାଯାଇଛି ।

ସମ୍ବନ୍ଧିତ ଖବର