ଚୀନ୍‌ରେ ମୃତ୍ୟୁସଂଖ୍ୟା ୨୦୦୦ ଟପିଲା; ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆର ଚିନ୍ତା ବଢ଼ିଲା

ଆଇଟିବିପି କ୍ବାରେଣ୍ଟାଇନ୍‌ ଶିବିରରୁ ସମସ୍ତଙ୍କୁ ଘରକୁ ପଠାଗଲା

ବେଜିଂ : କରୋନା ଭାଇରସ୍‌ ଯୋଗୁଁ ଚୀନ୍‌ରେ ମୃତ୍ୟୁସଂଖ୍ୟା ୨୦୦୦ ଟପିଛି। ଆଜି ସକାଳେ ଚୀନ୍‌ରେ ୧୩୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ନୂଆ ତଥ୍ୟ ସହ ଚୀନ୍‌ରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୦୦୪ରେ ପହଞ୍ଚିଥିବା ବେଳେ ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା ୨,୦୧୦ରେ ପହଞ୍ଚିଛି। ଚୀନ୍‌‌ରେ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ଏବେ ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଏବଂ ହଂକଂରେ ଚିନ୍ତା ବଢ଼ିଛି। ଚୀନ୍‌ ବାଦ୍‌ ଦକ୍ଷିଣ କୋରିଆରେ ସମୁଦାୟ ୪୬ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସିଙ୍ଗାପୁରରେ ୮୧ ଏବଂ ଜାପାନ୍‌ରେ ୬୮ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଜାପାନ୍‌ରେ ଭାଇରସ୍‌ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ହଂକଂରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଆଇଟିବିପି କ୍ବାରେଣ୍ଟାଇନ୍‌ ଶିବିରରୁ ସମସ୍ତଙ୍କୁ ଘରକୁ ପଠାଗଲା
ନୂଆଦିଲ୍ଲୀ : କରୋନା‌ ଭାଇରସ୍‌ ଯୋଗୁଁ ଚୀନ୍‌ର ଉହାନ୍‌ରୁ ଆସିବା ପରେ ଆଇଟିବିବି କ୍ବାରେଣ୍ଟାଇନ୍‌ ଶିବିରରେ ଥିବା ସମସ୍ତ ଭାରତୀୟ ନାଗରିକ ଏବେ ସେଠାରୁ ଘରକୁ ଫେରିଛନ୍ତି। ଆଇଟିବିପିର ସ୍ବତନ୍ତ୍ର ବ୍ୟବସ୍ଥାରେ ଥିବା ଶେଷ ବ୍ୟାଚ୍ ନାଗରିକଙ୍କୁ ଆଜି ଏଠାରୁ ପଠାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଗତ ୧ ଏବଂ ୨ ତାରିଖରେ ଉହାନ୍‌ରୁ ୬୫୦ ଜଣଙ୍କୁ ଭାରତ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୦୬ ଜଣ ଆଇଟିବିପିର ବ୍ୟବସ୍ଥାରେ ଥିବାବେଳେ ଅନ୍ୟମାନେ ମାନେସର ସେନା ଶିବିରରେ ରହିଥିଲେ।

ସମ୍ବନ୍ଧିତ ଖବର