କରୋନାଭାଇରସ୍‌ ପ୍ରକୋପ: ଚୀନ୍‌ରେ ମୃତ୍ୟୁସଂଖ୍ୟା ୮୦; ୨୭୦୦ରୁ ଅଧିକ ଆକ୍ରାନ୍ତ

ଉହାନ୍‌: ମାରାତ୍ମକ କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ୮୦ ଜଣ ପ୍ରାଣ ହରାଇଥିବା ଓ ୨୭୪୪ ଜଣ ରୋଗାକ୍ରାନ୍ତ ହୋଇଥିବା କଥା ସୋମବାର ଦିନ ଚୀନ୍‌ କହିଛି। କେବଳ ହୁବେଇରେ ୨୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେଠାରେ ୭୬୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୧ଜଣଙ୍କ ଅବସ୍ଥା ସାଙ୍ଘାତିକ ଥିବା କଥା ନ୍ୟାସ୍‌ନାଲ୍‌ ହେଲ୍‌ଥ୍‌ କମିସନ୍‌ କହିଛି। ଦେଶର ମଧ୍ୟସ୍ଥଳରରେ ଥିବା ହୁବେଇକୁ ଚୀନ୍‌ ବନ୍ଦ ରଖିଥିବାରୁ ହୁବେଇର ହଜାର ହଜାର ଲୋକ ପରିବହନ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି।

ଏହି ଭୂତାଣୁର ଦ୍ରୁତ ସମ୍ପ୍ରସାରଣକୁ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଗମ୍ଭୀର ପରିସ୍ଥିତି ବୋଲି କହିଛନ୍ତି।

ଭୂତାଣୁ ସଂକ୍ରମଣ ଦମନ ଲାଗି ‘ଚାନ୍ଦ୍ର ନବ ବର୍ଷ ଅବକାଶ’କୁ ଫେବ୍ରୁଆରି ୨ ତାରିଖ ଯାଏଁ ବଢ଼ାଇ ଦେବାକୁ ଚୀନ୍‌ ସୋମବାର ଦିନ ଘୋଷଣା କରିଛି। ଜାନୁଆରି ୨୪ ତାରିଖରେ ଆରମ୍ଭ ହୋଇଥିବା ଏହି ଛୁଟି ଜାନୁଆରି ୩୦ ତାରିଖରେ ଶେଷ ହୋଇଥାଆନ୍ତା।

Image Source: Yahoo News

ପରବର୍ତ୍ତୀ ବିଜ୍ଞପ୍ତି ନ ମିଳିବା ଯାଏଁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ, ପ୍ରାଥମିକ ଏବଂ ମଧ୍ୟ-ବିଦ୍ୟାଳୟ ଓ କିଣ୍ଡର୍‌ଗାର୍ଟେନ୍‌ ବାସନ୍ତିକ ସେମିଷ୍ଟର୍‌ ଆରମ୍ଭ କରିବେ ନାହିଁ ବୋଲି ସରକାର ନିର୍ଦେଶ ଦେଇଛନ୍ତି।

ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଚୀନ୍‌ରେ ବସବାସ କରୁଥିବା କୌଣସି ଭାରତୀୟ ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନ ଥିବା କଥା ରବିବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

ସମ୍ବନ୍ଧିତ ଖବର