କରୋନା ଭାଇରସ ଦ୍ୱାରା ବିଶ୍ୱ ଅର୍ଥନୀତି ପ୍ରଭାବିତ ହେବ, ଭାରତ ଉପରେ ସୀମିତ ପ୍ରଭାବ ପଡ଼ିବ : ଶକ୍ତିକାନ୍ତ ଦାସ
ନୂଆଦିଲ୍ଲୀ : ଚୀନକୁ କବଳିତ କରିଥିବା କରୋନା ଭାଇରସ ଭୁତାଣୁ ସଂକ୍ରମଣ ଦ୍ୱାରା ସମଗ୍ର ବିଶ୍ୱର ଅର୍ଥନୀତି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ଚୀନ ବିଶ୍ୱର ୨ୟ ବୃହତ୍ତମ ଅର୍ଥନୀତି ଓ ପ୍ରମୁଖ ଉତ୍ପାଦନ ହବ୍ ହୋଇଥିବାରୁ ଚୀନ ପ୍ରଭାବିତ ହେଲେ ସମଗ୍ର ବିଶ୍ୱ ଅର୍ଥନୀତି ଉପରେ ବିପଦର କଳାବାଦଲ ମାଡ଼ିଆସିବ ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ କରୋନା ଭାଇରସ ଦ୍ୱାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହେବ । କିନ୍ତୁ ଭାରତ ଉପରେ ଏହାର ସୀମିତ ପ୍ରଭାବ ପଡ଼ିବ । ଭାରତର ଫାର୍ମାସୁଟିକାଲ୍ସ ଓ ଇଲେକ୍ଟ୍ରୋନିକ୍ସ ଶିଳ୍ପ ଚୀନ ଉପରେ ନିର୍ଭରଶୀଳ । ଏଣୁ ସେମାନେ ପ୍ରଭାବିତ ହେବାର ଆଶଙ୍କା ସର୍ବାଧିକ । ଅବଶ୍ୟ ବୃହତ୍ ଫାର୍ମା କମ୍ପାନିମାନେ ୩-୪ ମାସ ପାଇଁ ଷ୍ଟକ ରଖୁଥିବାରୁ ସେମାନେ ପ୍ରଭାବିତ ହେବାର ସମ୍ଭାବନା କମ ବୋଲି ସେ କହିଛନ୍ତି ।
ତେବେ ସେ କହିଛନ୍ତି ଯେ ପ୍ରତ୍ୟେକ ଦେଶର ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ଏହି ଭୁତାଣୁ ସଂକ୍ରମଣ ଉପରେ ସତର୍କ ଦୃଷ୍ଟି ରଖିବା ଆବଶ୍ୟକ ।
ସୂଚନାଯୋଗ୍ୟ ଯେ, ସାରା ବିଶ୍ୱରେ କରୋନା ଭାଇରସ ମୃତ୍ୟୁସଂଖ୍ୟା ୨ ହଜାର ଟପିଯାଇଛି । କେବଳ ୬ ଟିକୁ ଛାଡ଼ିଦେଲେ ଅନ୍ୟ ସବୁ ମୃତ୍ୟୁ ଚୀନରେ ହୋଇଛି । ସେହିପରି ଏବେ ପ୍ରାୟ ୭୫ ହଜାର ଲୋକଙ୍କଠାରେ ଏହି ଭାଇରସ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୭୪ ହଜାର ଚୀନରେ ଅଛନ୍ତି ।