ନେପାଳରେ ପହଞ୍ଚିଲା କରୋନାଭାଇରସ୍‌, ଭାରତ-ନେପାଳ ସୀମାରେ ସତର୍କତା

ନୂଆଦିଲ୍ଲୀ: ନେପାଳରେ କରୋନାଭାଇରସ୍‌ ମିଳିବା ପରେ ଭାରତ-ନେପାଳ ସୀମାନ୍ତରେ ଲୋକମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ (ସ୍କ୍ରିନିଙ୍ଗ୍‌) କରାଯିବ ବୋଲି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

ଉତ୍ତରାଖଣ୍ଡକୁ ଲାଗିଥିବା ନେପାଳ ସୀମାନ୍ତରେ ତୁରନ୍ତ ଲୋକମାନଙ୍କୁ ‘ସ୍କ୍ରିନିଙ୍ଗ୍‌’ କରାଇବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବ୍ୟବସ୍ଥା କରୁଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌ଙ୍କ ସହ ଏ ସଂକ୍ରାନ୍ତରେ ଶନିବାର ଦିନ ଆଲୋଚନା କରିଛନ୍ତି।

ହର୍ଷ ବର୍ଦ୍ଧନ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି: ଉତ୍ତରାଖଣ୍ଡକୁ ଲାଗିଥିବା ନେପାଳ ସୀମାନ୍ତ ଦେଇ ଭାରତକୁ ଆସୁଥିବା ଲୋକମାନଙ୍କର ସ୍କ୍ରିନିଙ୍ଗ୍‌ ଲାଗି ବ୍ୟବସ୍ଥା କରାଯାଉଛି। ସ୍କ୍ରିନିଙ୍ଗ୍‌ ଛଡ଼ା, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତୁରନ୍ତ ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବ।

ଉତ୍ତରାଖଣ୍ଡ ବ୍ୟତୀତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଚିଠି ଲେଖି କରୋନାଭାଇରସ୍‌ ଜନିତ ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ କହିଛନ୍ତି।

Image Source: Dbpost.com

କରୋନାଭାଇରସ୍‌ ସଂକ୍ରମଣ ସଂକ୍ରାନ୍ତରେ ଶନିବାର ଦିନ ହର୍ଷ ବର୍ଦ୍ଧନ ଦିଲ୍ଲୀ ଠାରେ ଏକ ଉଚ୍ଚସ୍ତରୀୟ ବୈଠକର ଆୟୋଜନ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରାଳୟର ଅଧିକାରୀ, ‘ଆଇସିଏମ୍‌ଆର୍‌’ ଏବଂ ‘ଏନ୍‌ସିଡି’ର ବୈଜ୍ଞାନିକ ଏବଂ ଅନ୍ୟ ବିଶେଷଜ୍ଞମାନେ ଏହି ବୈଠକରେ ଯୋଗ ଦେଇଥିଲେ।

ବୈଠକ ପରେ ହର୍ଷ ବର୍ଦ୍ଧନ କହିଲେ: ଅଭିନବ କୋରାନାଭାଇରସ୍‌ର ମୁକାବିଲା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଶେଷଜ୍ଞମାନଙ୍କର ସାତଟି ପୃଥକ୍‌ ଟିମ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀ, ମୁମ୍ବାଇ, କୋଲ୍‌କାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ କୋଚି ବିମାନବନ୍ଦରରେ ଭାଇରସ୍‌ର ମୁକାବିଲା ନିମନ୍ତେ ହୋଇଥିବା ବ୍ୟବସ୍ଥା ଉପରେ ଏହି ଟିମ୍‌ ସବୁ ଦୃଷ୍ଟିରଖିବେ।

ସମ୍ବନ୍ଧିତ ଖବର