ଦୁର୍ନୀତି ମାମଲା:ଜେରାର ସମ୍ମୁଖୀନ ହେବେ ଚିଦମ୍ବରମ

ନୂଆଦିଲ୍ଲୀ: ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ଆଜି ବରିଷ୍ଠ କଂଗ୍ରେସ ନେତା ପି.ଚିଦମ୍ବରମଙ୍କୁ ସମନ ଜାରି କରିଛି। ଆସନ୍ତା ୬ ତାରିଖରେ ସିବିଆଇ ତାଙ୍କୁ ଜେରା କରିବ। ୨୦୦୭ରେ ଆଇଏନ୍‌ଏକ୍ସ ମିଡ଼ିଆରେ ବିଦେଶୀ ପୁଞ୍ଜିନିବେଶକୁ ତତ୍କାଳୀନ ୟୁପିଏ ସରକାରରେ ଅର୍ଥମନ୍ତ୍ରୀ ଥିବା ପି.ଚିଦମ୍ବରମ ବେଆଇନ ମଞ୍ଜୁରି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗତକାଲି କୋର୍ଟ ଜୁନ ୩ ତାରିଖ ଯାଏଁ ଚିଦମ୍ବରମଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲା ନେଇ ଚିଦମ୍ବରମ ଗତକାଲି ଦିଲ୍ଲୀର ଦୁଇଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏୟାରସେଲ ମାକ୍ସିସ୍‌ ଓ ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ ଗିରଫଦାରିରୁ ସୁରକ୍ଷା ଦେବା ପାଇଁ ସେ ଆବେଦନ କରିଥିଲେ। ଉଲ୍ଳେଖଯୋଗ୍ୟ, ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ ଚିଦମ୍ବରମଙ୍କ ପୁଅ କାର୍ତ୍ତିି ଅଭିଯୁକ୍ତ ଅଛନ୍ତି। ଫ୍ରେବ୍ରୁଆରି ୨୮ରେ କାର୍ତ୍ତିଙ୍କୁ ଗିରଫ କରାଯାଇଥିଲା ଓ ପରେ ସେ ଜାମିନ ପାଇଥିଲେ। ବିଦେଶ ସମ୍ପତ୍ତି ମାମଲାରେ ଚିଦମ୍ବରମ ଓ ପରିବାର ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ନୂଆ ପ୍ରମାଣ ଉପସ୍ଥାପନ କରିଛି।

ସମ୍ବନ୍ଧିତ ଖବର