ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ଭିତରେ ରାଜସ୍ଥାନର କୋଟା ସହର ଏବେ ରାଜନୀତିର ବଡ଼ ହଟ୍ସ୍ପଟ୍ ପାଲଟିଯାଇଛି। ଦେଶକୁ ବହୁ ସଂଖ୍ୟାରେ ଡାକ୍ତର ଓ ଇଂଜିନିୟର ଦେଉଥିବା କୋଟାରୁ ଛାତ୍ରମାନଙ୍କୁ ଫେରାଇ ଆଣିବା ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏଠାରେ ଫସିଥିବା ପ୍ରାୟ ୩୫ ହଜାର ଛାତ୍ର ସେମାନଙ୍କ ଘରକୁ ଫେରିବାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । ଛାତ୍ରମାନେ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ସୋସିଆଲ ମିଡିଆରେ ଜୋର୍ଦାର ଅଭିଯାନ ଚଳାଇବା ପରେ ଉତ୍ତରପ୍ରଦେଶ ସରକାର କୋଟାକୁ ବସ୍ ପଠାଇ ଏବେ ଛାତ୍ରମାନଙ୍କୁ ଫେରାଇ ଆଣୁଛନ୍ତି। ତେବେ ଲକ୍ଡାଉନ୍ ସମୟରେ ଶହ ଶହ ବସ୍ ବ୍ୟବହାର କରି ଛାତ୍ରଙ୍କୁ ଅଣାଯିବାକୁ ବିହାର ମୁଖ୍ୟମନ୍ତ୍ରୀ ବିରୋଧ କରିଛନ୍ତି। ଏହା ଲକ୍ଡାଉନ୍ର ଘୋର ଉଲ୍ଲଂଘନ ଦର୍ଶାଇବା ସହ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ହକିଛନ୍ତି।
କୋଟାରେ ୟୁପିର ୭୫୦୦ ଛାତ୍ର ଥିବା ବେଳେ ବିହାରର ୬୫୦୦ ଛାତ୍ର ଅଛନ୍ତି। ଅଧିକାଂଶ ଛାତ୍ରଛାତ୍ରୀ କୋଚିଂ ଇନ୍ଷ୍ଟିଚ୍ୟୁଟ୍ର ହଷ୍ଟେଲ୍ରେ ରହୁଛନ୍ତି। ଲକ୍ଡାଉନ୍ ସମୟରେ ସେମାନଙ୍କ ଖାଦ୍ୟପେୟରେ ସମସ୍ୟା ସହିତ ସେମାନେ ଏକୁଟିଆ ଅନୁଭବ କରୁଛନ୍ତି। ୟୁପି ସରକାର ଛାତ୍ରଙ୍କୁ ଆଣିବା ପ୍ରକ୍ରିୟା ଆରମ୍ଭ କରିବା ପରେ ବିହାରର ଛାତ୍ରଛାତ୍ରୀମାନେ ଏହାକୁ ସମର୍ଥନ କରିବା ସହ ବିହାର ସରକାର ମଧ୍ୟ ତୁରନ୍ତ ସେମାନଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ବିଏସ୍ପି ସୁପ୍ରିମୋ ମାୟାବତୀ ଯୋଗୀ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ଯୋଗୀଙ୍କ ପଦକ୍ଷେପକୁ ସମର୍ଥନ କରିଥିବା ବେଳେ ନୀତୀଶଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଏହି ମାମଲାରେ ନୀତୀଶ ସରକାରଙ୍କୁ ଘେରିଛନ୍ତି। ସରକାର ପ୍ରବାସୀ ଶ୍ରମିକ ଏବଂ ଛାତ୍ରଙ୍କ ପ୍ରତି ଅତ୍ୟନ୍ତ ସମ୍ବେଦନହୀନ ଆଚରଣ କରୁଛନ୍ତି ବୋଲି ତେଜସ୍ବୀ କହିଛନ୍ତି। ଅନ୍ୟପକ୍ଷରେ ବିହାର ମୁଖ୍ୟମନ୍ତ୍ରୀଙ୍କ ବିରୋଧକୁ ଯୋଗୀ ଭୃକ୍ଷେପ ନକରି ଛାତ୍ରଙ୍କୁ ଆଣିବା ଯୋଜନା କାର୍ଯ୍ୟକାରୀ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/fhsf7h98sf7hs98f7hs98fhsfsfsfsfsfsfsfsfsfsfsfsfsfsfhsfhsfh.jpg)