ମେଜର ଲିଟୁଲ୍‌ ଗୋଗୋଇଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ପାଇଁ ଆଦେଶ ଦେଲେ କୋର୍ଟ ଅଫ୍‌ ଇନ୍‌କ୍ୱାରି

ନୂଆଦିଲ୍ଲୀ: ବାରଣ ସତ୍ତ୍ୱେ ସ୍ଥାନୀୟ ଲୋକଙ୍କ ସହ ମିଳାମିଶା ଏବଂ ଅଭିଯାନ ଚାଲିଥିବା ଅଞ୍ଚଳରେ ଡିୟୁଟି ସ୍ଥାନରୁ ବାହାରକୁ ଯିବା କାରଣରୁ ମେଜର୍‌ ଲିଟୁଲ ଗୋଗୋଇଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ସୋମବାର ଦିନ କୋର୍ଟ ଅଫ୍‌ ଇନ୍‌କ୍ୱାରି ଆଦେଶ ଦେଇଛନ୍ତି।

ମେ ୨୩ ତାରିଖ ଦିନ ଶ୍ରୀନଗରର ଏକ ହୋଟେଲ୍‌ରୁ ଜଣେ ସ୍ଥାନୀୟ ଯୁବତୀଙ୍କ ସହ ମେଜର୍‌ ଗୋଗୋଇଙ୍କୁ ଜମ୍ମୁ ଓ କଶ୍ମୀର ପୁଲିସ ଅଟକ ରଖିଥିଲା। ହୋଟେଲ୍‌ରେ ସେ ଉକ୍ତ ଯୁବତୀଙ୍କ ସହ କଜିଆ କରୁଥିଲେ ବୋଲି କୁହାଯାଉଥିଲା।

ଜମ୍ମୁ ଓ କଶ୍ମୀରର ଶ୍ରୀନଗର ହୋଟେଲ୍‌ରୁ ଜଣେ ମହିଳାଙ୍କ ସହ ଗିରଫ ହେବା ପରେ ମେଜର୍‌ ଗୋଗୋଇ ନୂଆ ବିବାଦ ଆରମ୍ଭ କରିଥିଲେ। ସେ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରାଯିବ ବୋଲି ସେନା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ୍‌ ପ୍ରତିଶ୍ରୁତି ଦେବା ପରେ ପରେ ମେଜର୍‌ ଗୋଗୋଇଙ୍କ ବିରୋଧରେ କୋର୍ଟ ଅଫ୍‌ ଇନ୍‌କ୍ୱାରି ଆରମ୍ଭ କରାଯାଇଥିଲା।

ମାମଲାର ତଦନ୍ତ କରିବାକୁ ଓ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା କଥା ଜଣାପଡ଼ିଲେ ମେଜର୍‌ ଗୋଗୋଇଙ୍କ ବିରୋଧରେ କି ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସୁପାରିସ କରିବାକୁ ଦୁଇଜଣିଆ ସଦସ୍ୟବିଶିଷ୍ଟ କୋର୍ଟ ଅଫ୍‌ ଇନ୍‌କ୍ୱାରି ଗଠନ କରାଯାଇଥିଲା।

ମେଜର୍‌ ଗୋଗୋଇଙ୍କ ସହ ସେ ଯୁବତୀଙ୍କୁ ଥାନାରୁ ନିଆ ଯାଇ କୋର୍ଟ ଅଫ୍‌ ଇନ୍‌କ୍ୱାରିଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଲିସ କହିଛି: ଗୋଟାଏ କଳହ ବାବଦରେ ଦିବା ୧୧ଟା ବେଳେ ହୋଟେଲ୍‌ ଗ୍ରାଣ୍ଡ୍‌ ମମତାରୁ ତାଙ୍କ ପାଖକୁ ଫୋନ୍‌ ଯାଇଥିଲା।

ମେଜର୍‌ ଗୋଗୋଇ ବିବାଦୀୟ ହେବାରେ ଏଇଟା ପ୍ରଥମ କଥା ନୁହେଁ। ପଥର ମାଡ଼ ଏଡ଼ାଇବାକୁ ବଡ଼ଗାମ୍‌ ଜିଲ୍ଲାରେ ନିଜ ଗାଡ଼ିର ବନେଟ୍‌ରେ ଜଣେ ସ୍ଥାନୀୟ ଲୋକଙ୍କୁ ବାନ୍ଧି ନେବା ଫଟୋ ୨୦୧୭ରେ ଭାଇରାଲ୍‌ ହେବା ପରେ ମେଜର୍‌ ଗୋଗୋଇ ବିବାଦର କାରଣ ହୋଇଥିଲେ।

ସମ୍ବନ୍ଧିତ ଖବର