ଗୋରକ୍ଷା ନାମରେ ହିଂସା:ସବୁଠୁ ଘାତକ ୟୁପି

O ୨୦୧୭ ପରଠୁ ବଢୁଛି O ୨୦୧୮ରେ ୧୧ ହିଂସା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଜେପି ତଥା ଯୋଗୀ ଆଦିତ୍ୟନାଥ ସରକାର କ୍ଷମତାକୁ ଆସିବା ପରେ ଗୋରକ୍ଷା ନାମରେ ହିଂସା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଭାରତର ଏହି ସର୍ବାଧିକ ଜନବହୁଳ ରାଜ୍ୟରେ ଗୋ-ସମ୍ବନ୍ଧୀୟ ମାମଲା ପରିମାଣ ୬୯ ପ୍ରତିଶତ ରହିଛି। ଏଭଳି ଅପରାଧର ରେକର୍ଡ କରୁଥିବା ‘ଫ୍ୟାକ୍ଟଚେକର୍‌ ଡଟ୍‌ ଇନ୍‌’ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟ ମୁତାବକ, ୨୦୧୮ରେ ଏଯାବତ୍‌ ଗୋରକ୍ଷା ନାମରେ ମୋଟ ୨୧ଟି ଆକ୍ରମଣ ଘଟଣା ଘଟିଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ତନ୍ମଧ୍ୟରେ ପଶ୍ଚିମ ଉତ୍ତର ପ୍ରଦେଶ ଅନ୍ତର୍ଗତ ହାପୁରର ବାସିନ୍ଦା ୪୫ ବର୍ଷୀୟ କାସିମ୍‌ କୁରେଶି ରହିଛନ୍ତି। ସେହିଭଳି ଉତ୍ତର ୟୁପିସ୍ଥିତ ବରେଲିର ୨୦ ବର୍ଷୀୟ ଶାହରୁଖ ଖାନ୍‌ ମଧ୍ୟ ଭିଡ଼ହିଂସାରେ ପ୍ରାଣ ହରାଇଛନ୍ତି। ସଦ୍ୟତମ ଘଟଣାରେ ବୁଲନ୍ଦସର୍‌ର ସ୍ୟାନା ଥାନା ଇନ୍ସପେକ୍ଟର ସୁବୋଧ କୁମାର ଓ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସେହି ଦୃଷ୍ଟିରୁ ଗୋ-ସମ୍ବନ୍ଧୀୟ ହିଂସା ଘଟଣାରେ ଉତ୍ତର ପ୍ର‌ଦେଶ ସବୁଠୁ ଘାତକ ରାଜ୍ୟ ପାଲଟିଛି।
୨୦୧୭ ପୂର୍ବରୁ ଉତ୍ତର ପ୍ରଦେଶରେ ଗୋରକ୍ଷା ନାମରେ ୫ଟି ହିଂସା ଘଟଣା ଘଟିଥିଲା ବେଳେ ୨୦୧୮ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହା ୧୧କୁ ବୃଦ୍ଧି ପାଇଛି। ରିପୋର୍ଟ ଦର୍ଶାଇଛି ଯେ ରାଜ୍ୟରେ ୨୦୧୮ରେ ବିଭିନ୍ନ ହିଂସାଜନିତ ମୃତ୍ୟୁ ଘଟଣା ମଧ୍ୟରେ ୪୦ ପ୍ରତିଶତ ଗୋ-ସମ୍ବନ୍ଧୀୟ ହୋଇଥିବା ବେଳେ ମୋଟ ଆକ୍ରମଣ ଘଟଣାରେ ୨୯ ପ୍ରତିଶତ ଗୋରକ୍ଷାଜନିତ ହିଂସାକାଣ୍ଡ ରହିଛି। ସେହିଭଳି ରାଜ୍ୟରେ ଭିଡ଼ହିଂସା ଆଶଙ୍କା ୧୮ ପ୍ରତିଶତ ବଢ଼ି ୪୮ ପ୍ରତିଶତରେ ପହଞ୍ଚିଛି। ଗୋରକ୍ଷା ନାମରେ ଆକ୍ରମଣର ଶିକାର ହେଉଥିବା ଲୋକଙ୍କ ମଧ୍ୟରେ ୫୫ ପ୍ରତିଶତ ମୁସ୍‌ଲିମ୍‌ ରହିଥିବା ବେଳେ ମୋଟ ହତ୍ୟା ଘଟଣାରେ ୮୬ ପ୍ରତିଶତ ମୁସ୍‌ଲିମ୍‌ ରହିଥିବା ରିପୋର୍ଟ ଦର୍ଶାଇଛି।

ସମ୍ବନ୍ଧିତ ଖବର