ମହିଳାମାନଙ୍କ ପାଇଁ ସୁରକ୍ଷିତ ନୁହେଁ ଉତ୍ତରପ୍ରଦେଶ; ପ୍ରତିଦିନ ଘଟୁଛି ୮ ଦୁଷ୍କର୍ମ, ୩୦ ଅପହରଣ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ମହିଳାମାନଙ୍କ ପାଇଁ ଉତ୍ତରପ୍ରଦେଶ ଏବେ ଆଉ ସୁରକ୍ଷିତ ହୋଇ ରହିନାହିଁ। ଉତ୍ତରପ୍ରଦେଶରେ ଅପରାଧ ଓ ବିଶେଷ କରି ମହିଳାମାନଙ୍କ ଉପରେ ହେଉଥିବା ଅପରାଧ ଆଶାତୀତ ଭାବେ ବୃଦ୍ଧି ପାଇବା ଘଟଣା ଏବେ ଉଭୟ ରାଜ୍ୟ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଉତ୍ତରପ୍ରଦେଶ ଗୃହ ବିଭାଗ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସମୀକ୍ଷା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଉତ୍ତରପ୍ରଦେଶରେ ଏବେ ଦୈନିକ ଅନ୍ୟୂନ ୮ଟି ଦଷ୍କର୍ମ ଘଟୁଥିବା ବେଳେ ୩୦ଟି ଅପହରଣ ମାମଲା ଘଟୁଛି।

ରାଜ୍ୟର ମହିଳାମାନଙ୍କ ଘଟୁଥିବା ଅପରାଧକୁ ନେଇ ରାଜ୍ୟର ଥାନାମାନଙ୍କରେ ପ୍ରତିଦିନ ୧୦୦ରୁ ଉର୍ଦ୍ଧ୍ୱ ଏଫ୍‌ଆଇଆର୍‌ ଆଗତ ହେଉଛି। ଗତ ୨୦୧୬ ଓ ୨୦୧୭ ତୁଳନାରେ ଚଳିତ ୨୦୧୮ର ଜାନୁଆରି ୧ ରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ରାଜ୍ୟରେ ଘଟିଥିବା ଅପରାଧର ମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ରାଜ୍ୟରେ ମହିଳାମାନଙ୍କ ଉପରେ ଘଟୁଥିବା ଅପରାଧ ଯେପରିକି ଦୁଷ୍କର୍ମ, ଦୁଷ୍କର୍ମ ପାଇଁ ଉଦ୍ଦ୍ୟମ, ଅପହରଣ, ଯୌନ ନିର୍ଯାତନା, ଯୌତୁକ ଜନିତ ହତ୍ୟା, ଯୌତୁକ ନିର୍ଯାତନା ଆଦି ଅପରାଧରେ ୨୪ ପ୍ରତିଶତ ବୃଦ୍ଧି ଘଟିଥିବା ସ୍ୱୀକାର କରିଛନ୍ତି ରାଜ୍ୟର ଅତିରିକ୍ତ ପୁଲିସ୍‌ ଡିଜି ଆନନ୍ଦ କୁମାର। ଚଳିତ ବର୍ଷ ଜାନୁଆରି ୧ ରୁ ମାର୍ଚ୍ଚ ୩୧ ମଧ୍ୟରେ ୮୯୯ଟି ଦୁଷ୍କର୍ମ ମାମଲା ସଂପର୍କିତ ଏଫ୍‌ଆଇଆର୍‌ ଉତ୍ତରପ୍ରଦେଶ ପୁଲିସ୍‌ ଥାନାରେ ଆଗତ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର