ବର୍ତିଗଲେ ଦାଗୀ ନେତା

ବାରଣ କରିବାକୁ ମନାକଲେ ସୁପ୍ରିମ କୋର୍ଟ, ଆବଶ୍ୟକ ଆଇନ ପ୍ରଣୟନ କରୁ ସଂସଦ

ନୂଆଦିଲ୍ଲୀ: ଦାଗୀ ନେତାମାନଙ୍କୁ ଆଜି ସୁପ୍ରିମ୍‌କୋର୍ଟରେ ବଡ଼ ଧରଣର ଆଶ୍ୱସ୍ତି ମିଳିଛି। ଗୁରୁତର ଫୌଜଦାରୀ ଅପରାଧରେ ଜଡ଼ିତ ଥିଲେ ମଧ୍ୟ ସେମାନେ ନିର୍ବାଚନ ଲଢ଼ିପାରିବେ। ଏଥିପାଇଁ ସେମାନଙ୍କୁ ରୋକାଯାଇ ପାରିବ ନାହିଁ। ଦାଗୀ ନେତାଙ୍କ ଉପରେ କଟକଣା ପାଇଁ ଚାର୍ଜସିଟ୍‌ ଯଥେଷ୍ଟ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ଦାଗୀ ନେତାମାନଙ୍କୁ ଉପଶମ ପ୍ରଦାନ କରିଛି। ତେବେ ଏଭଳି ନେତାଙ୍କୁ ନିର୍ବାଚନରୁ ବାରଣ କରିବା ଉଦ୍ଦେଶ୍ୟରେ ସଂସଦ ଆବଶ୍ୟକ ଆଇନ ପ୍ରଣୟନ କରୁ ବୋଲି ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି। ଦାଗୀ ନେତାମାନଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗରେ ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ରାୟ ଶୁଣାଇ କହିଛନ୍ତି, ଦାଗୀ ନେତାଙ୍କୁ ନିର୍ବାଚନ ଲଢ଼ିବାରୁ ରୋକାଯିବ କି ନୁହେଁ, ତାହା ଚିନ୍ତା କରିବା ସର୍ବୋଚ୍ଚ ଅଦାଲତଙ୍କର କାମ ନୁହେଁ। ବ୍ୟବସ୍ଥାପିକାର କ୍ଷେତ୍ରାଧିକାରକୁ ଯାଇ ନ୍ୟାୟପାଳିକା ଲକ୍ଷ୍ମଣରେଖା ଅତିକ୍ରମ କରିବା ଉଚିତ ନୁହେଁ। ରାଜନୀତିରେ ଅପରାଧୀକରଣ ଓ ଦୁର୍ନୀତି ବୃଦ୍ଧି ପାଇବା ଗଣତନ୍ତ୍ର ପାଇଁ କ୍ଷତିକାରକ। ରାଜନୀତିରେ ଅପରାଧୀକରଣ ଗଣତନ୍ତ୍ରକୁ ନଷ୍ଟ କରୁଛି ଏବଂ ଏହାଦ୍ୱାରା ନାଗରିକମାନେ ପ୍ରଭାବିତ ହେଉଛନ୍ତି। ତଥାପି ଏଥିରେ ନ୍ୟାୟପାଳିକା ହସ୍ତକ୍ଷେପ କରିବାକୁ ଉଚିତ ମଣୁନାହିଁ। ତେଣୁ ଏଥିପାଇଁ ସଂସଦ ଉପଯୁକ୍ତ ଆଇନ ଆଣିବା ଆବଶ୍ୟକ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ରଙ୍କ ବ୍ୟତୀତ ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମାନ୍‌, ଏ ଏମ୍‌ ଖାନ୍‌ଓ୍ଵିଲ୍‌କର, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଇନ୍ଦୁ ମାଲ୍‌ହୋତ୍ରା ମଧ୍ୟ ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ଲୋକ ପ୍ରତିନିଧି ଆଇନରେ ରହିଥିବା ବ୍ୟବସ୍ଥା ଅନୁସାରେ କୌଣସି ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ହିଁ ସଂପୃକ୍ତ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବା ପାଇଁ ରୋକାଯାଇ ପାରୁଛି। ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ନିର୍ବାଚନ ଲଢ଼ିବାରୁ ନିଷେଧ କରାଯାଇ ପାରିବ ନାହିଁ। ପୂର୍ବରୁ ଏହି ମାମଲରେ କେନ୍ଦ୍ର ସରକାର ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ବ୍ୟବସ୍ଥାପିକାରେ ହସ୍ତକ୍ଷେପ କରି ନ୍ୟାୟପାଳିକା କୌଣସି ନିୟମ ଲଦିଦେବା ଉଚିତ ନୁହେଁ। ଏହାଦ୍ୱାରା ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀମାନଙ୍କ ଉପରେ କୁପ୍ରଭାବ ପଡ଼ିବ। ତା’ଛଡ଼ା ଲୋକ ପ୍ରତିନିଧି ଆଇନରେ ଏ ସଂପର୍କିତ ନିୟମ କାର୍ଯ୍ୟକାରୀ ହେଉଛି। ସେହିଭଳି ଜଣେ ନେତାଙ୍କ ବିରୋଧରେ ଏତଲା କିମ୍ବା ଚାର୍ଜସିଟ୍‌ ହେବା ପରେ ତାଙ୍କୁ ଦୋଷୀ ବୋଲି ବିବେଚନା କରାଯାଇ ପାରିବ ନାହିଁ। ସେ ନିର୍ଦ୍ଦୋଷ ମଧ୍ୟ ହୋଇପାରନ୍ତି। ତେଣୁ ଚାର୍ଜସିଟ୍‌କୁ ଆଖିରେ ରଖି ନେତାମାନଙ୍କୁ ନିର୍ବାଚନ ଲଢ଼ିବାକୁ ବାରଣ କରିବା ଅର୍ଥ ସେମାନଙ୍କୁ ମତ ସାବ୍ୟସ୍ତରୁ ବଂଚିତ କରିବା। ଏହାଦ୍ୱାରା ସେମାନଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେବ ବୋଲି କେନ୍ଦ୍ର ସରକାର କହିଥିଲେ। ମାମଲାରେ ଆବେଦନକାରୀ ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ଅପରାଧରେ ଜଡ଼ିତ ଥିବା ନେତାମାନେ ଯଦି ଆଇନ ପ୍ରଣେତା ହୁଅନ୍ତି, ତେବେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ତେଣୁ ଅପରାଧରେ ଜଡ଼ିତ ଥିବା ନେତାମାନଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁମତି ଦେବା ଠିକ୍‌ ନୁହେଁ। ଅନ୍ତତଃ ଯେଉଁମାନଙ୍କ ବିରୋଧରେ ସ୍ପଷ୍ଟ ଅଭିଯୋଗ ରହିଛି ବା ଯେଉଁମାନଙ୍କ ବିରୋଧରେ ୫ ବର୍ଷ ବା ତା’ଠାରୁ ଅଧିକ ଜେଲ୍‌ ଦଣ୍ଡ ହେବା ନେଇ ଯଥେଷ୍ଟ ଆଶଙ୍କା ରହିଛି, ସେମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ନଦେବାକୁ ଆବେଦନକାରୀ କହିଥିଲେ। ତେବେ ସେମାନଙ୍କ ଅନୁରୋଧକୁ ଆଜି ସୁପ୍ରିମ୍‌କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏବେ ସଂସଦ ହିଁ ଏ ବାବଦରେ ବିଚାର କରି ଆବଶ୍ୟକ ପଦକ୍ଷେପ ନେଇପାରିବ।

ସୂଚନାଯୋଗ୍ୟ ଯେ ଏହି ମାମଲାର ଶୁଣାଣି ବେଳେ ସରକାର ଏବଂ ସୁପ୍ରିମ କୋର୍ଟ ମୁହାଁମୁହିଁ ହୋଇଥିଲେ। ଅନେକ ବିଚାରପତି ଏଭଳି ଦାଗୀ ନେତାମାନଙ୍କୁ ନିର୍ବାଚନରେ ଦଳୀୟ ଟିକଟ ନଦେବାକୁ ମତ ଦେଇଥିଲେ। ସେମାନେ କହିଥିଲେ ଯେ ଏସଂପର୍କରେ ନିର୍ବାଚନ କମିସନ ସର୍ତ ଆରୋପ କରିପାରିବେ। କିନ୍ତୁ ସରକାର ଏହାର ଦୃଢ଼ ବିରୋଧ କରିବା ସହିତ ସମ୍ବିଧାନ ଦ୍ୱାରା ନିର୍ଧାରିତ ସୀମା ଅତିକ୍ରମ ନକରିବା ଲାଗି କୋର୍ଟଙ୍କୁ କହିଥିଲେ। ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ଏଭଳି ନିୟମ କେବଳ ସଂସଦ ପ୍ରଣୟନ କରିପାରିବ। କିନ୍ତୁ ବିଚାରପତିମାନେ ଯେଭଳି ନିଜର ମତାମତ ଦେଉଥିଲେ ସେଥିରେ ଦାଗୀ ନେତାମାନଙ୍କ ହୃଦସ୍ପନ୍ଦନ ବଢ଼ିଯାଇଥିଲା। ନିର୍ବାଚନ ଲଢ଼ିବାରୁ ସେମାନଙ୍କୁ କୋର୍ଟ ବାରଣ କରିପାରନ୍ତି ବୋଲି ଆତଙ୍କିତ ହୋଇପଡ଼ିଥିଲେ। ଶେଷରେ ଆଜିର କୋର୍ଟ ରାୟ ସେମାନଙ୍କୁ ଆଶ୍ୱସ୍ତ କରିଛି।

ସମ୍ବନ୍ଧିତ ଖବର