ନରଖାଦକ କୁମ୍ଭୀର ପେଟରୁ ମିଳିଲା ମଣିଷର ହାତ-ଗୋଡ !

ବାଲିକପପାନ୍: ଇଣ୍ଡୋନେସିଆର ବର୍ଣ୍ଣିଓ ଅଞ୍ଚଳରେ ଏକ ୨୦ଫୁଟ ଲମ୍ବ ବିଶିଷ୍ଟ କୁମ୍ଭୀର ପେଟରୁ ମଣିଷର ହାତ ଓ ଗୋଡ ମିଳିଛି । ପୁଲିସ ସୂଚନା ମୁତାବକ ଦୁଇଦିନ ତଳେ ସ୍ଥାନୀୟ ଅଞ୍ଚଳର ଏକ ତାଳ ବଗିଚାରେ କାମ କରୁଥିବା ଜନୈକ କର୍ମଚାରୀ ନିଖୋଜ ଥିବାର ଅଭିଯୋଗ ହୋଇଥିଲା। ସେ ବ୍ୟକ୍ତିଙ୍କର ମୃତଦେହ କୁମ୍ଭୀର ପେଟରୁ ମିଳିଛି ବୋଲି ପୁଲିସ ସୂଚନା ଦେଇଥିଲା । ବନବିଭାଗର ସୂଚନା ମୁତାବକ ନଦୀକୂଳରୁ ନିଖୋଜ ବ୍ୟକ୍ତିଙ୍କ ମୋଟର ବାଇକ ଓ ସେ ବ୍ୟବହାର କରିଥିବା ସାବୁନ ପାଇବା ପରେ ତାଙ୍କୁ କୁମ୍ଭୀର ମାରିଦେଇଥିବା ସନ୍ଦେହ କରାଯାଇଥିଲା । ଏହା ପରେ ବନ ବିଭାଗ ଉକ୍ତ ବ୍ୟକ୍ତିଙ୍କୁ ଖୋଜିବା ଅଭିଯାନ ଆରମ୍ଭ କରିଥିଲା । ଏହାପରେ ବନବିଭାଗ ସେଇ ନଦୀରେ ଏକ ୨୦ଫୁଟ୍‌ ଲମ୍ବ ଦୀର୍ଘକାୟ କୁମ୍ଭୀର ଦେଖିବାକୁ ପାଇଥିଲେ। ଏହାପରେ ବନ ବିଭାଗ କୁମ୍ଭୀରଟିକୁ ଗୁଳିକରି ମାରିଦେଇଥିଲେ ଏବଂ କୁମ୍ଭୀର ପେଟରୁ ନିଖୋଜ ବ୍ୟକ୍ତିଙ୍କ ବାମହାତ ଓ ଗୋଡ ମିଳିଥିଲା । ମୃତ ବ୍ୟକ୍ତିଙ୍କ ସ୍ତ୍ରୀ କହିଛନ୍ତି, ସେ ଘରକୁ ଫେରୁଥିବା ବେଲେ ତାଙ୍କୁ କୁମ୍ଭୀର ଖାଇ ଦେଇଛି । କୁମ୍ଭୀର ମୁହଁରେ ପଡ଼ିଥିବା ୩୬ବର୍ଷିୟ ଆଣ୍ଡି ଆଷୋ ଇରଙ୍ଗଙ୍କ ମୃତଦେହ ମିଳିଛି ବୋଲି ସ୍ଥାନୀୟ ପୁଲିସ ମୁଖ୍ୟ ଟେଡି ରାସ୍ତଓ୍ଵାନ୍‌ କହିଛନ୍ତି ।

ଜଣେ ପ୍ରତ୍ୟକ୍ଷଦର୍ଶୀ ଅନିସା କହିଛନ୍ତି, ଇଣ୍ଡୋନେସିଆରେ ଏପରି ଘଟଣା ନୂଆ ନୁହେଁ। ବିଗତ ଦିନରେ ଏହିପରି ବହୁତ ଘଟଣା ଦେଖିବାକୁ ମିଲିଛି । ୨୦୧୬ରେ ଅମ୍ପତ ଦ୍ୱୀପରେ ରୁଷିଆର ଜଣେ ପର୍ଯ୍ୟଟକଙ୍କର କୁମ୍ଭୀର ଆକ୍ରମଣରେ ମୃତ୍ୟୁ ଘଟିଥିଲା । ଅମ୍ପତ ଇଣ୍ଡୋନେସିଆର ଏକ ଲୋକ ପ୍ରିୟ ପର୍ଯ୍ୟଟନସ୍ଥଳୀ । ଇଣ୍ଡୋନେସିଆରେ ପଶୁ ଓ ମଣିଷ ଭିତରେ ସଂଘର୍ଷ ଏହିପରି ଧୀରେ ଧୀରେ ବଢିବାରେ ଲାଗିଛି । ବିଶେଷ କରି ଯେଉଁଠାରେ ତାଳ ତେଲ ପାଇଁ ଲୋକେ ଗଛ କାଟି ଦେଉଛନ୍ତି ସେଠାରେ କୁମ୍ଭୀର ଓ ଅନ୍ୟ ପଶୁଙ୍କ ଆକ୍ରମଣର ଶିକାର ହେଉଛି ମଣିଷ।

ସମ୍ବନ୍ଧିତ ଖବର