ପୂର୍ବମୁଖା ହେଲେ ଓଡ଼ିଶା ମାଡ଼ି ଆସିପାରନ୍ତି ପଙ୍ଗପାଳ ଦଳ, ପୂର୍ବାନୁମାନ କଲା ଫୁଡ ଆଣ୍ଡ ଏଗ୍ରିକଲଚର ଓର୍ଗାନାଇଜେସନ୍

ନୂଆଦିଲ୍ଲୀ: ଯଦିଓ ଓଡ଼ିଶାରେ କେବେ ପଙ୍ଗପାଳ ଆକ୍ରମଣ ହୋଇନାହିଁ, କିନ୍ତୁ ହେବ ନାହିଁ ବୋଲି କହି ହେବନାହିଁ। ଜାତିସଂଘ ପରିଚାଳନାଧିନ ଫୁଡ ଆଣ୍ଡ ଏଗ୍ରିକଲଚର ଓର୍ଗାନାଇଜେସନ୍ ପକ୍ଷରୁ ଜାରି ପୂର୍ବାନୁମାନରେ ପଙ୍ଗପାଳ ଓଡ଼ିଶାକୁ ଆସିପାରନ୍ତି ବୋଲି କୁହାଯାଇଛି। ଫାଓ ବୁଲେଟିନରେ ଏହା ପ୍ରକାଶ ପାଇଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଦିଲ୍ଲୀରୁ କର୍ଣ୍ଣାଟକ ପର୍ଯ୍ୟନ୍ତ ଅଞ୍ଚଳକୁ ପଙ୍ଗପାଳ ମାଡ଼ି ଆସି ପାରନ୍ତି ବୋଲି ସତର୍କ ସୂଚନା ଦେଇଛି ଜାତିସଂଘର ଫୁଡ ଆଣ୍ଡ ଏଗ୍ରିକଲଚର ଓର୍ଗାନାଇଜେସନ। ଏହି ଅଞ୍ଚଳରେ ଥିବା ରାଜ୍ୟଗୁଡ଼ିକ ଲାଗି ହାଇ ଆଲର୍ଟ ଜାରି କରିଛି ଫାଓ। ରାଜସ୍ଥାନ, ମଧ୍ୟପ୍ରଦେଶ,ଉତ୍ତର ପ୍ରଦେଶ, ଗୁଜୁରାଟ ଓ ମହାରାଷ୍ଟ୍ର ଆଦି ୫ ରାଜ୍ୟର ୧୦୦ଟି ଜିଲ୍ଲାରେ ବ୍ୟାପକ ଫସଲ କ୍ଷତି ଘଟାଇ ପଙ୍ଗପାଳ ଦଳ ମାଡ଼ି ଚାଲିଛନ୍ତି। ଆଗାମୀ କିଛି ସପ୍ତାହ ମଧ୍ୟରେ ପଙ୍ଗପାଳ ଆହୁରି ୧୨ ରାଜ୍ୟକୁ ଯାଇପାରନ୍ତି ବୋଲି ଫାଓ ପୂର୍ବାନୁମାନ କରିଛି। ଏହି ପୂର୍ବାନୁମାନରେ ପଙ୍ଗପ‌ାଳ ପୂର୍ବଦିଗରେ ଗତି କରି ବିହାର ଓ ଓଡ଼ିଶାକୁ ଆସିବା ଆଶଙ୍କା ମଧ୍ୟ ରହିଛି।

ThePrint

ଫୁଡ ଆଣ୍ଡ ଏଗ୍ରିକଲଚର ଓର୍ଗାନାଇଜେସନର ପୂର୍ବାନୁମାନ ଅନୁସାରେ ଜୁନ୍ ମ‌ାସ ମଧ୍ୟ ଭାଗରେ ପାକିସ୍ତାନ ପଟୁ ଆଉ ଏକ ଦଳ ପଙ୍ଗପାଳ ଭାରତରେ ପ୍ରବେଶ କରିବାର ଆଶଙ୍କା ରହିଛି। ଏହାକୁ ଭିତ୍ତି କରି ଦିଲ୍ଲୀ, ହିମାଚଳ ପ୍ରଦେଶ, ହରିୟାଣା,ଉତ୍ତରାଖଣ୍ଡ, ତେଲେଙ୍ଗାନା ଓ କର୍ଣ୍ଣାଟକକୁ ଫାଓ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ପଙ୍ଗପାଳ ପୂର୍ବମୁଖା ହେଲେ ଆସନ୍ତା ସପ୍ତାହରେ ବିହାର ଓ ଓଡ଼ିଶା ପହଞ୍ଚି ପାରନ୍ତି ବୋଲି ଫାଓ ବୁଳେଟିନରେ ପ୍ରକାଶ ପାଇଛି।

ଅନ୍ୟ ପକ୍ଷରେ ରାଜ୍ୟର ବିଶେଷଜ୍ଞଙ୍କ ଆକଳନ ଅନୁସାରେ ସାମୁଦ୍ରିକ ଝଡ ଅମ୍ଫାନ ପରେ ପଶ୍ଚିମ ବାୟୁ ପ୍ରବାହ ଯୋଗୁଁ  ପଙ୍ଗପାଳ ଆଗକୁ ଓଡିଶା, ବିହାର ଆଡକୁ ମାଡି ଆସିପାରନ୍ତି । ତେବେ ମୌସୁମୀ ବାୟୁ ପ୍ରବାହ ସକ୍ରିୟ ହେବା ପରେ ଏହାର ଗତପଥ ବଦଳିଯାଇପାରେ । ପବନର ଗତି ସହ ଏହି ପ୍ରବାସୀ ପତଙ୍ଗ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାଉଥିବାରୁ ଆଗାମୀ ଦିନରେ ଓଡିଶା ଆସିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । କେବଳ ଫାଓ ନୁହେଁ ପିଟିଆଇ ମଧ୍ୟ ପଙ୍ଗପାଳ ଓଡିଶା, ବିହାର ଆସିବା ନେଇ ପୂର୍ବାନୁମାନ କରିଛି । ଚଳିତ ସପ୍ତାହରେ ଓଡିଶା କୃଷି ବିଶ୍ୱବିଦ୍ୟାଳୟ ମଧ୍ୟ ପଙ୍ଗପାଳ ଓଡିଶା ଆସିବା ନେଇ ସମାନ କଥା କହିଥିଲା। ଏତେ ବଡ଼ ସମ୍ଭାବ୍ୟ ସଂକଟକୁ ଦୃଷ୍ଟିରେ ରଖି ଓଡ଼ିଶାର କୃଷି ବିଭାଗ ଏକ ବଡ଼ ଧରଣ ପ୍ରସ୍ତୁତି ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର