ଭିଡ଼ ହିଂସା ବନ୍ଦ କରାଯାଉ:ନୂଆ ଆଇନ ଆଣିବାକୁ କେନ୍ଦ୍ରକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶର କୌଣସି ନାଗରିକ ଆଇନକୁ ନିଜ ହାତମୁଠାକୁ ନେଇପାରିବେ ନାହିଁ କି ନିଜକୁ ସର୍ବଶ୍ୱ ବୋଲି ଭାବିପାରିବେ ନାହିଁ। ଯେ କୌଣସି ପରିସ୍ଥିତି ଆସିଲେ ବା କୌଣସି ଅଘଟଣ ଘଟିଲେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଦେଶରେ ଆଇନ ବ୍ୟବସ୍ଥା ରହିଛି। ଦେଶରେ ଭିଡ଼ ହିଂସାଜନିତ ମୃତ୍ୟୁ ଘଟଣା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ସୁପ୍ରିମ୍‌କୋର୍ଟ ଆଜି ଏଭଳି ବର୍ଷିଛନ୍ତି। ଏଥିସହ ଭିଡ଼ ହିଂସାକୁ ନିୟନ୍ତ୍ରଣ କରିବା ଲାଗି ଠୋସ୍‌ ଆଇନ ଆଣିବା ପାଇଁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରାପତି ଏ ଏମ୍‌ ଖାନ୍‌ଓ୍ଵିଲ୍‌କର ଓ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, କୌଣସି ଘଟଣାକୁ ନେଇ ଏବେ ଲୋକମାନେ ପ୍ରତିକ୍ରିୟାଶୀଳ ହୋଇ ଜଘନ୍ୟ କାଣ୍ଡ ଘଟାଉଛନ୍ତି। ଦେଶରେ ଆଇନ ବ୍ୟବସ୍ଥା ରହିଥିଲେ ହେଁ ସେମାନେ ଏଥିପ୍ରତି ଭ୍ରୂକ୍ଷେପ ନ କରି ଆକ୍ରମଣାତ୍ମକ ହୋଇଉଠୁଛନ୍ତି। ଏଥିଯୋଗୁ ଅନେକ ନିରୀହ ଲୋକ ପ୍ରାଣ ହରାଉଛନ୍ତି। ପରିସ୍ଥିତି ଏବେ ଏଭଳି ହେଲାଣି ଯେମିତି ଲାଗୁଛି ଭିଡ଼ ହିଂସା ଏବେ ଏକ ନୂଆ ନିୟମ ହେବାକୁ ଯାଉଛି। କିନ୍ତୁ ଏହାକୁ ବରଦାସ୍ତ କରାଯିବ ନାହିଁ। ଭିଡ଼ ହିଂସା ଭଳି ଜଘନ୍ୟ କାର୍ଯ୍ୟକୁ ଆଉ ସହ୍ୟ କରାଯାଇ ପାରିବ ନାହିଁ। ଏହା ଉପରେ ଅଙ୍କୁଶ ଲଗାଇବା ଜରୁରୀ ହୋଇପଡ଼ିଛି। ତେଣୁ ସଂସଦରେ ଏ ନେଇ ନୂଆ ବିଧେୟକ ଆଗତ କରିବା ଲାଗି ଚିଠା ପ୍ରସ୍ତୁତ ହେବା ଦରକାର। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଭିଡ଼ ହିଂସାଜନିତ ମୃତ୍ୟୁ ଘଟଣାକୁ ରୋକିବା ଲାଗି ଉପଯୁକ୍ତ ନିୟମ ଆଣିବା ଉଚିତ। ଭିଡ଼ ହିଂସାର ନିବାରଣ, ପ୍ରତିକାର ସହିତ ଏଭଳି କାଣ୍ଡ ଘଟାଉଥିବା ଲୋକଙ୍କ ପାଇଁ ଦଣ୍ଡବିଧାନ ଲାଗି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ମିଶ୍ର କହିଛନ୍ତି, ଭିଡ଼ ହିଂସା ନିୟନ୍ତ୍ରଣ କରିବା ଏବଂ ଏହି କାଣ୍ଡ ଘଟାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସଂକ୍ରାନ୍ତରେ ସର୍ବୋଚ୍ଚ ଅଦାଲତ ଆଜିଯାଏ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ନିମନ୍ତେ ଅନେକ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ତା’ସତ୍ତ୍ୱେ ଏଭଳି ଘଟଣା କମିନାହିଁ। ତେଣୁ ଅଦାଲତଙ୍କ ନିର୍ଦ୍ଦେଶକୁ କିଭଳି ପାଳନ କରାଯାଇଛି ସେ ନେଇ ରିପୋର୍ଟ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ ସୁପ୍ରିମ୍‌କୋର୍ଟ ଭିଡ଼ ହିଂସା ଘଟାଉଥିବା ଲୋକଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। କହିଥିଲେ ଉଦ୍ଦେଶ୍ୟ ଯାହା ହେଉ ନା କାହିଁକି ଭିଡ଼ ହିଂସା ହେଉଛି ଏକ ଅପରାଧ। ଏହାକୁ ଏକ ଆଇନଶୃଙ୍ଖଳା ପରିସ୍ଥିତି ବୋଲି ଅଭିହିତ କରି ସର୍ବୋଚ୍ଚ ଅଦାଲତ କହିଥିଲେ, ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଅଛନ୍ତି। ତେଣୁ ଗୋରକ୍ଷା ନାମରେ ବା ପିଲାଚୋରି ସନ୍ଦେହରେ ଲୋକମାନେ ଅନ୍ୟ କୌଣସି ବ୍ୟକ୍ତିକୁ ଦଣ୍ଡ ଦେଇପାରିବେ ନାହିଁ। ଦଣ୍ଡ ଦେବା ଅଧିକାର କେବଳ ନ୍ୟାୟପାଳିକାର ରହିଛି। ତେଣୁ ଲୋକମାନେ ଆଇନକୁ ହାତମୁଠାକୁ ନେଲେ ଅପରାଧିକ କାର୍ଯ୍ୟାନୁଷ୍ଠାନର ଶିକାର ହେବେ ବୋଲି ଖଣ୍ଡପୀଠ ଦର୍ଶାଇଥିଲେ। ଅନ୍ୟପକ୍ଷରେ ଭିଡ଼ ହିଂସା ନିୟନ୍ତ୍ରଣ ପାଇଁ ଗାଇଡ୍‌ଲାଇନ୍‌ ଜାରି ନେଇ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମ୍‌କୋର୍ଟରେ ହୋଇଥିବା ଏକ ଆବେଦନର ରାୟକୁ ଆଜି ଖଣ୍ଡପୀଠ ସଂରକ୍ଷିତ ରଖିଛନ୍ତି। ଏଥିଲାଗି ରାଜ୍ୟଗୁଡ଼ିକୁ ପଦକ୍ଷେପ ନେବାକୁ କୁହାଯାଇଛି। ଏ ନେଇ ନିଜ ପକ୍ଷ ରଖି କେନ୍ଦ୍ର ସରକାର କହିଛନ୍ତି ଯେ ଭିଡ଼ ହିଂସା ହେଉଛି ଏକ ଆଇନଶୃଙ୍ଖଳା ପରିସ୍ଥିତି, ଯାହାକୁ ରୋକିବା ରାଜ୍ୟଗୁଡ଼ିକର ଦାୟିତ୍ୱ। ତେଣୁ କୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରୁଥିବା ରାଜ୍ୟଗୁଡ଼ିକ ବିରୋଧରେ ପଦକ୍ଷେପ ନେବାକୁ କେନ୍ଦ୍ର କହିଛି। ଉଲ୍ଲେଖଯୋଗ୍ୟ, ଗୋରକ୍ଷା ନାମରେ ଭିଡ଼ ହିଂସା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ଗତବର୍ଷ ସେପ୍ଟେମ୍ବର ୬ ତାରିଖରେ ସୁପ୍ରିମ୍‌କୋର୍ଟ ରାଜ୍ୟଗୁଡ଼ିକୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନୋଡାଲ୍‌ ଅଫିସର ଭାବେ ନିଯୁକ୍ତ କରିବାକୁ କହିଥିଲେ। ଏହି ନିର୍ଦ୍ଦେଶ ପାଳନ କରିପାରି ନ ଥିବା ରାଜସ୍ଥାନ, ହରିୟାଣା ଓ ଉତ୍ତର ପ୍ରଦେଶ ସରକାରଙ୍କଠାରୁ ସୁପ୍ରିମ୍‌କୋର୍ଟ ଜବାବ ଲୋଡ଼ିଥିଲେ। ଏମିତି କି ଏହି ୩ ରାଜ୍ୟ ବିରୋଧରେ ମହାତ୍ମା ଗାନ୍ଧୀଙ୍କ ନାତି ତୁଷାର ଗାନ୍ଧୀ ଅଦାଲତ ଅବମାନନା ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର