କ୍ରାଉନ୍‌ ପ୍ରିନ୍ସ ସଲମାନ୍‌ ହେବେ ସାଉଦି ରାଜା

ରିୟାଦ: ଦେଶରୁ ଦୁର୍ନୀତି ହଟାଇବା ଲାଗି ବଳିଷ୍ଠ ପଦକ୍ଷେପ ନେଇଥିବା କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବାବେଳେ ଆଗକୁ ସେ ସାଉଦି ରାଜା ସଲମାନ୍‌ଙ୍କ ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ କ୍ରାଉନ୍‌ ପ୍ରିନ୍ସ ସଲମାନ୍‌ ଆସନ୍ତା ସପ୍ତାହରେ ତାଙ୍କ ପିତାଙ୍କ ସ୍ଥାନ ଅଧିକାର କରି ସାଉଦି ରାଜା ଭାବେ ଅଧିଷ୍ଠିତ ହେବେ। ଦୀର୍ଘ ୬୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାଉଦି ଆରବର ମୁକୁଟ ଗୋଟିଏ ପିଢିରୁ ଅନ୍ୟ ପିଢିକୁ ହସ୍ତାନ୍ତର ହେବ। ଆସନ୍ତା ସପ୍ତାହରେ ସାଉଦି ରାଜା ରାଜପଦରୁ ଓହରି ନିଜ ପୁଅ ସଲମାନ୍‌ଙ୍କୁ ମୁକୁଟ ହସ୍ତାନ୍ତର କରିବେ। କ୍ରାଉନ ପ୍ରିନ୍ସ ସଲମାନ୍‌ ଦାୟିତ୍ୱ ନେବାପରେ ତାଙ୍କ ମୁଖ୍ୟ ନଜର ରହିବ ସାଉଦି ଆରବର ପ୍ରମୁଖ ଶତ୍ରୁ ଇରାନ୍‌ ଉପରେ । ସେ ଇରାନ୍‌କୁ ଦମନ କରିବାପାଇଁ ଇସ୍ରାଏଲ ସହ ମିଶି କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ଦୁର୍ନିତି ଅଭିଯୋଗରେ ୧୧ ରାଜକୁମାରଙ୍କ ଗିରଫ ନିର୍ଦ୍ଦେଶ ଦେଇଥିବା କ୍ରାଉନ ପ୍ରିନ୍ସ ସଲମାନଙ୍କୁ ନେଇ ସାଉଦି ରାଜ ପରିବାରରେ ବିଭାଜନ ସୃଷ୍ଟି ହୋଇଛି। ତେବେ ତାଙ୍କର କଠୋର ନିଷ୍ପତ୍ତି ଦେଶରେ ବଡ଼ ଧରଣର ପରିବର୍ତ୍ତନ ଆଣିବା ସହ ବିକାଶର ପଥକୁ ବ୍ୟାପକ କରିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର