ପତ୍ନୀଙ୍କ ସହିତ ସିଆରପିଏଫ ଯବାନ ରାମଦାସଙ୍କ ଫଟୋ ଭାଇରାଲ, ନକ୍ସଲ ଆକ୍ରମଣରେ ହରାଇଥିଲେ ଦୁଇ ଗୋଡ଼

ରାୟପୁର: ସିଆରପିଏଫର ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଲଢ଼େଇ କରିଥାନ୍ତି। ଯେତେବେଳେ ନକ୍ସଲମାନେ ଯବାନମାନଙ୍କୁ ଟାର୍ଗେଟ କରୁଥାନ୍ତି, ଏଭଳି ପରିସ୍ଥିତିରେ ମଧ୍ୟ ଯବାନମାନେ ମୁକାବିଲା କରିବାକୁ ପଛାଉ ନଥାନ୍ତି। ଏଭଳି ଏକ କାହାଣୀ ଯବାନ ରାମଦାସଙ୍କ ଜୀବନରେ ଘଟିଛି।

ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲମାନଙ୍କ ଆକ୍ରମଣରେ ଯବାନ ରାମଦାସ ନିଜର ଦୁଇ ଗୋଡ଼ ହରାଇଛନ୍ତି। ଗୋଡ଼ ସିନା ହରାଇଛନ୍ତି, କିନ୍ତୁ ସେ ନିଜର ଯବାନ ପଣିଆ ଦମ୍ଭ ହରାଇ ନାହାନ୍ତି।

ମେଜର ସୁରେନ୍ଦ୍ର ପୁନିଆ ନିଜର ଟୁଇଟର ଆକାଉଣ୍ଟରେ ଯବାନ ରାମଦାସ ଓ ତାଙ୍କର ପତ୍ନୀଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ରାମଦାସ ଏକ ହୁଇଲ ଚେୟାରରେ ବସିଥିବା ବେଳେ ତାଙ୍କ ପତ୍ନୀ କମାଣ୍ଡୋ ପୋଷାକରେ ପଛପଟେ ଛିଡ଼ା ହୋଇଛନ୍ତି। ମେଜର ସୁରେନ୍ଦ୍ର ପୁନିଆ ଫଟୋରେ ଏକ କ୍ୟାପସନ ଦେଇଛନ୍ତି, ଆଘାତ ହୋଇଛନ୍ତି କିନ୍ତୁ ହାରି ନାହାନ୍ତି। ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଜବରଦସ୍ତ ଆଲୋଚନା ହେଉଛି।

ରାମଦାସ କିଏ?

ସୂଚନାଯୋଗ୍ୟ ୩୦ ବର୍ଷିଅ ରାମଦାସ ମହରାଷ୍ଟ୍ରର ପାଲଘର ଜିଲ୍ଲା ନିବାସୀ ଅଟନ୍ତି। ୨୦୧୭ ନଭେମ୍ବର ୨୯ରେ ଛତିଶଗଡ଼ର ସୁକମା ଜିଲ୍ଲାରେ ରାମଦାସ ଅନ୍ୟ ୨୩ ଜଣ ଯବାନଙ୍କ ସହିତ ପ୍ରେଟ୍ରୋଲିଂରେ ଯାଇଥିଲେ। ଏହି ସମୟରେ ସେ ନକ୍ସଲମାନଙ୍କର ଆକ୍ରମଣର ଶିକାର ହୋଇଥିଲେ। ଏହି ଆକ୍ରମଣରେ ସେ ନିଜର ଦୁଇ ଗୋଡ଼କୁ ହରାଇଥିଲେ। ସିଆରପିଏଫ ଯବାନଙ୍କ ଗୋଡ ନକ୍ସଲମାନଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ସଂସ୍ପର୍ଶରେ ଆସିବାରୁ ଏଭଳି ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର