ସିଆର୍‌ପିଏଫ୍‌କୁ ମିଳିବ ୧୦୦ ବୁଲେଟ୍‌ପ୍ରୁଫ୍‌ ଗାଡ଼ି

ନୂଆଦିଲ୍ଲୀ: କଶ୍ମୀରରେ ଆତଙ୍କବାଦୀମାନଙ୍କ ନିରାପତ୍ତା ବଳର ଯାନବାହନ ଉପରେ ଆକ୍ରମଣ ଓ ବାମ ଚରମପନ୍ଥୀଙ୍କ ଦ୍ୱାରା ପ୍ରଭାବିତ ରାଜ୍ୟଗୁଡ଼ିକରେ ସେଣ୍ଟ୍ରାଲ୍‌ ପାରାମିଲିଟାରି ଫୋର୍ସେସ୍‌ଙ୍କ ବ୍ୟବହାର ପାଇଁ ସରକାର ୧୪୧ଟି ମଧ୍ୟମ ଧରଣର ବୁଲେଟ୍‌ପ୍ରୁଫ୍‌ ଗାଡ଼ି (ଏବିପିଭି) ଖରିଦ କରିବେ। ଏଥିରେ ଯବାନ ଏବଂ ଅଧିକାରୀମାନେ ନିରାପଦରେ ଅପରେସନ୍‌ ସାଇଟ୍‌ ଓ କ୍ୟାମ୍ପ୍‌ରେ ପହଞ୍ଚି ପାରିବେ।

୧୪୧ଟି ବୁଲେଟ୍‌ ପ୍ରୁଫ୍‌ ଗାଡ଼ିରୁ ୧୦୦ଟି ଗାଡ଼ି କେବଳ ସିଆର୍‌ପିଏଫ୍‌ଙ୍କ ପାଇଁ ଖରିଦ କରାଯାଉଛି। ଆଇନ୍‌ଶୃଙ୍ଖଳା ପରିସ୍ଥିତିରେ ଯୋଗ ଦେବା ଏବଂ ସ୍ୱତନ୍ତ୍ର ଅଭିଯାନ ପାଇଁ ଏହି ଗାଡ଼ିମାନଙ୍କରେ ଗଲେ ସେମାନଙ୍କର ଆଉ ବାଟଘାଟରେ ଆକ୍ରମଣର ଶିକାର ହେବାର ଭୟ ରହିବ ନାହିଁ।
ଛତିଶଗଡ଼ରେ ଥିବା ଇଣ୍ଡୋ-ତିବେତାନ୍‌ ବର୍ଡର୍‌ ପୋଲିସ୍‌ଙ୍କୁ ଏଥିରୁ ୨୦ଟି ଗାଡ଼ି ଦିଆଯିବ। ୧୫ଟି ଦିଆଯିବ ସଶସ୍ତ୍ର ସୀମା ବଳଙ୍କୁ ଏବଂ ଆଉ ୬ଟି ଦିଆଯିବ ଜମ୍ମୁ ଓ କଶ୍ମୀରରେ ନିଯୁକ୍ତ ସିଆଇଏନଏଫ୍‌ ବାଟାଲିଆନ୍‌ଙ୍କୁ। ଏମ୍‌ବିପିଭି ପାଇଁ ସରକାର ୧୦୦ କୋଟି ଟଙ୍କା ମଞ୍ଜୁର କରି ସାରିଛନ୍ତି। ଆସନ୍ତା ଦୁଇ ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ବୁଲେଟ୍‌ପ୍ରୁଫ୍‌ ଗାଡ଼ି ଆସିଯିବ।

ଏହି ନୂତନ ଗାଡ଼ି କ୍ଷୁଦ୍ର ଏବଂ ଏକେ ସିରିଜ୍‌ ଅସ୍ତ୍ରରୁ କ୍ଷେପଣ କରାଯାଉଥିବା ମାଡ଼ ସମ୍ଭାଳି ପାରିବ। ଏହି ସବୁ ଅସ୍ତ୍ର ବିଶେଷ ଭାବରେ ପାକିସ୍ତାନ ପଟୁ ଆତଙ୍କବାଦୀ ଏବଂ ସ୍ଥାନୀୟ ହିଜବୁଲ୍‌ ମୁଜାହିଦୀନ୍‌, ଲସ୍କର-ଏ-ତୈବା, ଜୈସ୍‌-ଏ-ମହମ୍ମଦ ଏବଂ ଅନ୍ୟାନ୍ୟ ସଙ୍ଗଠନଗୁଡ଼ିକ ବ୍ୟବହାର କରୁଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ପ୍ରତି ଗାଡ଼ିରେ ୧୦ରୁ ୧୨ ଜଣ ଯବାନ କିଂବା ଅଧିକାରୀ ଯାତ୍ରାକରି ପାରିବେ।

ସମ୍ପ୍ରତି ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଆଇଟିବିପି, ଏସ୍‌ଏସ୍‌ବି ଏବଂ ସିଆଇଏସ୍‌ଏଫ୍‌ ସୀମିତ ସଂଖ୍ୟକ ବୁଲେଟ୍‌ପ୍ରୁଫ୍‌ ଗାଡ଼ି ଉପଲବ୍ଧ ଥିବାରୁ ଯବାନମାନେ ବସ୍‌/ଟେମ୍ପୋ ଆଦି ଯାନରେ କଶ୍ମୀର ଉପତ୍ୟକା, ଛତିଶଗଡ଼, ଝାଡ଼ଖଣ୍ଡ କିଂବା ଓଡ଼ିଶାର ନକ୍ସଲ୍‌ ଉପଦ୍ରୁତ ଅଞ୍ଚଳ ଭଳି ବିପଜ୍ଜନକ ଅଞ୍ଚଳରେ ଯାତାୟାତ କରୁଛନ୍ତି।

ସମ୍ବନ୍ଧିତ ଖବର