କରୋନା ଭାଇରସ ପ୍ରଭାବ : ଅନ୍ତର୍ଜାତୀୟ ବଜାରରେ ତେଲ ଦର ୬୦ ଡଲାର ତଳକୁ ଖସିଲା

ନୂଆଦିଲ୍ଲୀ : ଚୀନରେ ବ୍ୟାପିଥିବା କରୋନା ଭାଇରସ ଏବେ ସମଗ୍ର ବିଶ୍ୱକୁ କବଳିତ କରିବାକୁ ବସିଲାଣି । ଏହା ବିଶ୍ୱ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିଛି । ଏହା ଫଳରେ ଆଗାମୀ ଦିନରେ ବିଶ୍ୱ ଅର୍ଥନୀତିରେ ଚାଲିଥିବା ମାନ୍ଦାବସ୍ଥା ଆହୁରି ଗଭୀର ହେବାର ଆଶଙ୍କା ଦେଖାଦେଇଛି ।
ଏହି ରୋଗ ଯୋଗୁଁ ଚୀନରେ ଅନେକ କାରଖାନା ଏପରିକି କେତେକ ସହରକୁ ବନ୍ଦ କରିଦିଆଯାଇଛି । ଏହା ଫଳରେ ଚୀନର ତେଲ ଚାହିଦା ହ୍ରାସ ପାଇଛି । ଏଥିଯୋଗୁଁ ବିଶ୍ୱ ବଜାରରେ ତେଲ ଦର ହ୍ରାସ ପାଇଛି । ଏହାସହିତ ଭାରତ ସମେତ ବିଭିନ୍ନ ପ୍ରମୁଖ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି ।
ଅନ୍ତର୍ଜାତୀୟ ବଜାରରେ ଆଜି ତେଲ ଦର ବ୍ୟାରେଲ ପିଛା ୬୦ ଡଲାର ତଳକୁ ଖସିଯାଇଛି । ଗତ ତିନିମାସ ମଧ୍ୟରେ ଏହା ହେଉଛି ତେଲର ସର୍ବନିମ୍ନ ସ୍ତର । ବ୍ରେଣ୍ଟ କ୍ରୁଡ ଅଏଲ ବ୍ୟାରେଲ ପିଛା ୫୮.୯ ଡଲାରକୁ ହ୍ରାସ ପାଇଛି ।

ଅନ୍ୟପକ୍ଷରେ ବିଶ୍ୱର ପ୍ରମୁଖ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ଭାରତର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସୋମବାରଦିନ ପ୍ରାୟ ୪୫୮ ପଏଣ୍ଟ ହ୍ରାସ ପାଇ ୪୧,୧୫୫ ପଏଣ୍ଟରେ ବନ୍ଦ ହୋଇଛି । ଟୋକିଓ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିକ୍କି ମଧ୍ୟ ହ୍ରାସ ପାଇଛି । ସେହିପରି ଆମେରିକାର ଡାଓଜୋନ୍ସ, ଚୀନର ସାଂଘାଇ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର