ରାହୁଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସିଡବ୍ଲୁସି ବୈଠକ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଆଜି ପ୍ରଥମଥର ପାଇଁ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦଳର କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଳର କ’ଣ ଏଜେଣ୍ଡା ସ୍ଥିର ହୋଇଛି ତାହା ଗୁପ୍ତ ରହିଥିବା ବେଳେ ପ୍ରତି ଦୁଇ ମାସରେ ଥରେ ସିଡବ୍ଲ୍ୟୁସି ବୈଠକ ହେବା ନେଇ ରାହୁଲ ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷେ, ବୈଠକ ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାହୁଲ ବିଜେପି ବିରୋଧରେ ବିଷୋଦ୍‌ଗାର କରିଛନ୍ତି।

କେବଳ ମିଛରେ ହିଁ ବିଜେପିର ମୂଳଦୂଆ ଗଢ଼ାହୋଇଛି ଏବଂ ଏହି ଦଳ ଜନତାଙ୍କୁ ମୋଦିଙ୍କ ବିକାଶ ମଡେଲର ସ୍ୱପ୍ନ ଦେଖାଇ ଭୁଆଁ ବୁଲେଇ ଆସୁଛି। ୨-ଜି ଘୋଟାଲାରେ ଅସଲ ସ୍ଥିତି ସାମ୍ନାକୁ ଆସିଥିବା ବେଳେ ଜିଏସ୍‌ଟି, ବିମୁଦ୍ରାକରଣ ଆଦି ବିଜେପିର ସମସ୍ତ ପଦକ୍ଷେପ କେବଳ ଲୋକଙ୍କୁ ଠକିବା ପାଇଁ ବୋଲି ରାହୁଲ କହିଛନ୍ତି। ଦୀର୍ଘ ବର୍ଷ ଧରି ବିଜେପି ମିଛ କହି ଦେଶର ଉନ୍ନତିକୁ ଘୋଟାଲା ନାମ ଦେବା ପ୍ରସଙ୍ଗର ସତ୍ୟାସତ୍ୟା ଏବେ ସମସ୍ତଙ୍କ ସାମ୍ନାରେ ରହିଥିବା ସେ କହିଛନ୍ତି। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ମୋତିଲାଲ ଭୋରା, ଗୁଲାମ ନବୀ ଆଜାଦ୍‌, ମଲ୍ଲିକାର୍ଜୁନ ଖଡ୍‌ଗେ, ଆନନ୍ଦ ଶର୍ମା ଏବଂ ବିଭିନ୍ନ ରାଜ୍ୟର କଂଗ୍ରେସ ସଭାପତିଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର