ମାତ୍ର କେଇ ଘଣ୍ଟାରେ କୋଲ୍‌କାତାକୁ ଧରାଶାୟୀ କରିଦେଲା ଅମ୍ଫାନ୍‌, ତାସଘର ପରି ଦୋହଲି ଗଲା ନଭଶ୍ଚୁମ୍ଭୀ ଅଟ୍ଟାଳିକା

କୋଲ୍‌କାତା: ବିଦ୍ୟୁତ୍‌ ନାହିଁ, ଟେଲିଫୋନ୍‌ ଯୋଗାଯୋଗ ନାହିଁ କି ନାହିଁ ଇଣ୍ଟ୍‌ରନେଟ୍‌ କନ୍‌କେସନ୍‌! ଟଳି ପଡ଼ିଛି ବିଶାଳକାୟ ବୃକ୍ଷ, ମଝି ରାସ୍ତା‌ରେ ପଡ଼ି ରହିଛି ବିଦ୍ୟୁତ୍‌ ଖୁଣ୍ଟି, ଗଛର ପତ୍ର ପରି ଉଡ଼ି ଯାଇଛି ଆଜ୍‌ବେଷ୍ଟ୍‌ସ, ମାଟିରେ ମିଶିଛି କଚା ଘର, ଭାଙ୍ଗି ଯାଇଛି ନଭଶ୍ଚୁଭ୍ଗୀ ଅଟ୍ଟାଳିକାର କାଚ ଝରକା ସବୁ, ଘର ଭିତରେ ଖେଳୁଛି ସମୁଦ୍ର ଜୁଆର ପରି ଲହଡ଼ି।

ଏ ଦୃଶ୍ୟ କେଉଁ ଚଳଚ୍ଚିତ୍ରର ନୁହେଁ, ବରଂ ପଶ୍ଚିମବଙ୍ଗ ରାଜଧାନୀ ଖୋଦ୍‌ କୋଲକାତା ମହାନଗରୀର। ଆଜି ସନ୍ଧ୍ୟାରେ ଅମ୍ଫାନ୍‌ ଐତିହାସିକ କୋଲକାତା ମହାନଗରୀକୁ ଯେପରି ଭାବେ ଖିନ୍‌ଭିନ୍‌ କରି ଧରାଶାୟୀ କରି ଦେଇଛି ତାହାର ଚିତ୍ର ଦେଖିବା ପରେ ବର୍ଣ୍ଣନା କରିବାକୁ ଭାଷା ନାହିଁ କିମ୍ବା ‌ଲେଖିବାକୁ ଶବ୍ଦ ମଧ୍ୟ ନାହିଁ।

ଭୟଙ୍କର ସାମୁଦ୍ରିକ ଝଡ଼ ‘ଅମ୍ଫାନ’ ସ୍ଥଳଭାଗ ଛୁଇଁବା ପରେ କୋଲକାତା ଉପର ଦେଇ ଗତି କରିବା ସହ ‌ସେଠାରେ ତାଣ୍ଡବ ରଚିଥିଲା। ବାତ୍ୟା ‘ଅମ୍ଫାନ’ର ପ୍ରକୋପରେ ଛାରଖାର୍‌ ହୋଇ ଯାଇଥିଲା ପୂରା କୋଲକାତା ସହର। ଘଣ୍ଟାକୁ ପ୍ରାୟ ୧୨୦ରୁ ୧୩୫ କିଲୋମିଟର୍‌ ବେଗରେ ପବନ ‌ବହିବା ପରେ କୋଲକାତା ପରି ସହର ହୋଇଥିଲା ଧରାଶାୟୀ। କୋଲ୍‌କାତାରେ ପବନର ଝଟ୍‌କା ଥିଲା୧୫୫ କିମି।

ତେବେ, ଏହି ସାମୁଦ୍ରିକ ଝଡ଼ ହେତୁ କୋଲ୍‌କାତାର ମୃତ୍ୟୁ ସଂଖ୍ୟା ଏବେ ସୁଦ୍ଧା ୪ ଛୁଇଁଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୧୯୯୯ ମସିହା ପରେ ‘ଅମ୍ଫାନ’ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଦ୍ବିତୀୟ ମହାବାତ୍ୟା। ୧୯୯୯ ମସିହା ବାତ୍ୟାରେ ଓଡ଼ିଶାର ଅବସ୍ଥା ଯେପରି ହୋଇଥିଲା ‘ଅମ୍ଫାନ’ ହେତୁ କୋଲକାତାରେ ଘଟିଛି ସମାନ ଅବସ୍ଥା।

କୋଲ୍‌କାତାର ଦୀଘା ଓ ହାତିଆ ଦୀପ ମଝିରେ ଦିନ ପ୍ରାୟ ୨.୩୦ ସମୟରେ ଲ୍ୟାଣ୍ଡ୍‌ଫଲ୍‌ କରିଥିଲା ‘ଅମ୍ପାନ’। ସୁ ସୁ ପବନରେ ପୂରା କୋଲକାତାବାସୀଙ୍କ ଛାତି ଥରାଇ ଦେଇଥିବା ଏହି ସାମୁଦ୍ରିକ ଝଡ଼ ହେତୁ ୫ ହଜାର ୫୦୦ ସହ ଘର ଭାଙ୍ଗି ରୁଜି ଚୁର୍‌ମାର୍‌ ହୋଇଛି। ପଶ୍ଚିମବଙ୍ଗରେ ଲକ୍ଷଲକ୍ଷ ଲୋକ ହୋଇ ଯାଇଛନ୍ତି ବାସହରା। ଏବେ ବି ୧୨୦ କିମି ବେଗରେ ପବନ ପ୍ରବାହିତ ହେଉଛି କୋଲକତା ମହାନଗରୀ ଉପରେ ଏବଂ ଆସନ୍ତାକାଲି ପ୍ରତ୍ୟୁଷ ପର୍ଯ୍ୟନ୍ତ ଅବ୍ୟାହତ ରହିବ। ଏବେ ତ କୋଲକାତା ମହାନଗରୀ ବାତ୍ୟାର ପ୍ରକୋପରେ ସଂପୂର୍ଣ୍ଣ ଧରାଶାୟୀ ହୋଇ ଅନ୍ଧକାର ମଧ୍ୟରେ ଆତ୍ମଗୋପନ କରି ମୁହଁ ଲୁଚାଇ ପଡ଼ିଛି। ତେବେ, କାଲି ସକାଳୁ ଯେ‌‌ତେବେଳେ ସୂର୍ଯ୍ୟାଲୋକରେ ଆଲୋକିତ ହେବ କୋଲକାତା ମହାନଗରୀ ସେତେବେଳେ ତାକୁ କି ରୂପରେ ଦେଖିବାକୁ ମିଳିବ ତାହାର ଆକଳନ ଏବେଠାରୁ କରିବା କିମ୍ବା ସେଥିନେଇ କୌଣସି ପ୍ରକାରର ଚିତ୍ର ଆଙ୍କବା ସଂପୂର୍ଣ୍ଣ ଅସମ୍ଭବ।

ସମ୍ବନ୍ଧିତ ଖବର