ଜାନୁଆରି ୨୬ରୁ ଦେଶର କେନ୍ଦ୍ର ଶାସିତ ଅଞ୍ଚଳ ସଂଖ୍ୟା ୮କୁ ହ୍ରାସ ପାଇବ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନଗର ହାବେଳି ଓ ଦାମନ ଦିଉରେ ଥିବା ଯାନବାହାନଗୁଡ଼ିକର ରେଜିଷ୍ଟ୍ରେସନ ନମ୍ବର ସଂକେତ (DD) ରଖାଯାଇଛି । ଏ ସଂପର୍କରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ଜାନୁଆରି ୨୬ରୁ ଏହା ଲାଗୁ ହେବ ।

ପୂର୍ବରୁ ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଓ ଦିଉ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଥିବାରୁ ସେଗୁଡ଼ିକର ଗାଡ଼ି ରେଜିଷ୍ଟ୍ରେସନ ନମ୍ବରର ପ୍ରାରମ୍ଭିକ କୋଡ ଅଲଗା ଅଲଗା ଥିଲା । କିନ୍ତୁ ଗତ ବର୍ଷ ସରକାର ଏହି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ମିଶାଇ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ କରିଥିଲେ । ପ୍ରଶାସନିକ ସୁବିଧା ଦୃଷ୍ଟିରୁ ସରକାର ଏହି ପଦକ୍ଷେପ ନେଇଥିଲେ । ଦାମନ ସହର ଏହି ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳର ରାଜଧାନୀ ରହିବ ।

ଗତ ଡିସେମ୍ବର ମାସରେ ଦାଦ୍ରା ନଗର ହାବେଳି ଦାମନ ଓ ଦିଉ (କେନ୍ଦ୍ର ଶାସିତ ଅଞ୍ଚଳ ମିଶ୍ରଣ) ବିଲ୍‌-୨୦୧୯ ସଂସଦରେ ଗୃହୀତ ହୋଇଥିଲା । ନଭେମ୍ବର ମାସରେ ଏହି ବିଲ୍‌ ଲୋକସଭାରେ ଓ ଡିସେମ୍ବର ୩ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା । ଆସନ୍ତା ଜାନୁଆରି ୨୬ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ କାର୍ଯ୍ୟାରମ୍ଭ କରିବ । ବର୍ତ୍ତମାନ ଦେଶରେ ୯ଟି କେନ୍ଦ୍ର ଶାସିତ ଅଞ୍ଚଳ ଥିବାବେଳେ ଆସନ୍ତା ଜାନୁଆରି ୨୬ରୁ ତାହା ୮କୁ ହ୍ରାସ ପାଇବ ।

ସମ୍ବନ୍ଧିତ ଖବର