ଏରୋ ଇଣ୍ଡିଆ ସୋ’ରେ ଉଡ଼ିଲା ବିଜୁବାବୁଙ୍କ ସ୍ମୃତି ବହନ କରୁଥିବା ଡାକୋଟା ବିମାନ

ଭୁବନେଶ୍ୱର : ଗତକାଲିଠାରୁ ବାଙ୍ଗାଲୁରୁରେ ଆରମ୍ଭ ହୋଇଛି ଦ୍ୱିବାର୍ଷିକ ଏରୋ ଇଣ୍ଡିଆ ସୋ’ । ଏହି ଏୟାର ସୋ’ରେ ରାଫେଲ ବିମାନ ଓ ଭାରତରେ ତିଆରି ତେଜସ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରରେ ରହିଛି । ତେବେ ଏଥରେ ଅନ୍ୟତମ ଆକର୍ଷଣ ହୋଇଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଭାରତୀୟ ବାୟୁସେନାର ଭିଣ୍ଟେଜ କଲେକ୍ସନ ମଧ୍ୟରୁ ଏହାକୁ ପ୍ରଦର୍ଶନ କରାଯାଇଛି । ଏରୋ ଇଣ୍ଡିଆ ସୋ’ରେ ଉଡିଥିବା ଏହି ଡାକୋଟା ବିମାନକୁ ବିଜେପି ଏମପି ରାଜୀବ ଚନ୍ଦ୍ରଶେଖର ଭାରତୀୟ ବାୟୁସେନାକୁ ଦାନ କରିଛନ୍ତି ।

ଏହି ଡାକୋଟା ବିମାନ ମାଧ୍ୟମରେ ଏକ ଅତ୍ୟନ୍ତ ଦୁଃସାହସିକ ଅଭିଯାନ ଚଳାଇ ବିଜୁବାବୁ ୧୯୪୭ ଜୁଲାଇ ୨୨ରେ ଇଣ୍ଡୋନେସିଆର ତତକାଳୀନ ପ୍ରଧାନମନ୍ତ୍ରୀ ସୁଲତାନ ସାହରିରଙ୍କୁ ଜାଭା ଦ୍ୱୀପରୁ ଡଚ୍‌ ସେନା କବଳରୁ ମୁକ୍ତ କରି ନେଇଆସିଥିଲେ । ଦେଶ ସ୍ୱାଧୀନତା ସମୟରେ ବିଜୁବାବୁ ପ୍ରତିଷ୍ଠା କରିଥିବା କଳିଙ୍ଗ ଏୟାରଲାଇନ୍ସରେ ମୋଟ ୧୫ଟି ଡାକୋଟା ବିମାନ ଥିଲା ।

କେବଳ ଏହି ଭିଣ୍ଟେଜ ଡାକୋଟା ବିମାନ ନୁହେଁ, ଏହି ଏରୋ ସୋ’ରେ ଦେଶ ବିଦେଶର ପ୍ରାୟ ୪୭ଟି ଅତ୍ୟାଧୁନିକ ବିମାନର ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି । ରାଫେଲ, ଏଲସିଏ, ସୁଖୋଇ, ଲାଇଟ ୟୁଟିଲିଟି ହେଲିକପ୍ଟର ଆଦିର ମଧ୍ୟ ପ୍ରଦର୍ଶନ ହେବ । ଏହା ଆସନ୍ତା ୨୪ରେ ଶେଷ ହେବ ।

ସମ୍ବନ୍ଧିତ ଖବର