ନେହେରୁଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ ଦଲାଇ ଲାମା

ନୂଆଦିଲ୍ଲୀ: ଶୁକ୍ରବାର ଦିନ ବୌଦ୍ଧ ଅଧ୍ୟାତ୍ମିକ ନେତା ଦଲାଇ ଲାମା ଜବାହରଲାଲ୍‌ ନେହେରୁଙ୍କ ସମ୍ବନ୍ଧରେ ଦେଇଥିବା ବିବାଦ ଉଦ୍ରେକକାରୀ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।

ସେ କହିଛନ୍ତି: ମୋ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ଯଦି ମୁଁ କିଛି ଭୁଲ୍‌ କହିଛି, ସେଥିପାଇଁ ମୁଁ କ୍ଷମାପ୍ରାର୍ଥୀ।

ଏ ସପ୍ତାହର ପ୍ରାରମ୍ଭରେ ଅଧ୍ୟାତ୍ମିକ ନେତା କହିଥିଲେ କି, ନେହେରୁଙ୍କ ସ୍ୱାର୍ଥପରତା ଯୋଗୁଁ ଭାରତ ବିଭାଜିତ ହୋଇଥିଲା।

ଜିନ୍ନାଙ୍କୁ ପ୍ରଧାନମନ୍ତ୍ରୀତ୍ୱ ଦେବା ପାଇଁ ମହାତ୍ମା ଗାନ୍ଧୀ ଚାହିଁଥିଲେ। କିନ୍ତୁ ପଣ୍ଡିତ ନେହେରୁ ମନା କରିଦେଲେ। ମୁଁ ଭାବୁଛି ପଣ୍ଡିତ ନେହେରୁ ବୋଧେ ଟିକିଏ ସ୍ୱାର୍ଥପର। ଯଦି ମହାତ୍ମା ଗାନ୍ଧୀଙ୍କ ଇଚ୍ଛା ସାକାର ହୋଇ ଥାଆନ୍ତା, ଭାରତ-ପାକିସ୍ତାନ ଏକ ହୋଇଥାଆନ୍ତା। ମୁଁ ଭଲକି ଜାଣେ ପଣ୍ଡିତ ନେହେରୁ ଖୁବ୍‌ ଅଭିଜ୍ଞ ବ୍ୟକ୍ତି, କିନ୍ତୁ ବେଳେ ବେଳେ ଭୁଲ୍‌ ହୋଇ ଥାଏ ବୋଲି ଗୋଆରେ ଏକ କାର୍ଯ୍ୟକ୍ରମରେ ତିବ୍ଦତୀୟ ଅଧ୍ୟାତ୍ମିକ ନେତା କହିଥିଲେ।

ଟୁଇଟ୍‌ରରେ କଂଗ୍ରେସ ନେତା ମନୀଷ ତିଓ୍ଵାରି କହିଥିଲେ କି, ଦଲାଇ ଲାମା ଯାହା କହିଲେ ଐତିହାସିକ ରେକର୍ଡ ତା’ର ଓଲଟା କହୁଛି।
୧୯୫୯ ମସିହାରେ ନେହେରୁ ପ୍ରଧାନମନ୍ତ୍ରୀ ଥିବା ବେଳେ ଦଲାଇ ଲାମା ଏବଂ ତାଙ୍କର କେତେକ ଅନୁଚର ତିବ୍ଦତରୁ ଖସି ଆସିଥିଲେ ଏବଂ ତାଙ୍କୁ ଭାରତରେ ଆଶ୍ରୟ ଦିଆ ଯାଇଥିଲା।

ତା’ପରେ ଶହ ଶହ ତିବ୍ଦତୀୟ ତାଙ୍କୁ ଅନୁସରଣ କଲେ। ଚୀନ୍‌ ଠାରୁ ବୃହତ୍ତର ସାର୍ବଭୌମତ୍ତ୍ୱ ପାଇଁ ସେମାନେ ନିର୍ବାସନରେ ସଂଗ୍ରାମ କରୁଛନ୍ତି।

ସମ୍ବନ୍ଧିତ ଖବର