ବନ୍ୟା ବିପର୍ଯ୍ୟୟ, ପ୍ରତି ବର୍ଷ ୨୦୦୦ରୁ ଅଧିକ ଜୀବନ ଯାଉଛି

୮୦ ଲକ୍ଷ ହେକ୍ଟର ଚାଷଜମି ନଷ୍ଟ ହେଉଛି

ନୂଆଦିଲ୍ଲୀ: ଦେଶରେ ୧୨ରୁ ଊର୍ଦ୍ଧ ରାଜ୍ୟ ଏବେ ବନ୍ୟା ପ୍ରଭାବିତ। ବିଶେଷ କରି କେରଳ, କର୍ଣ୍ଣାଟକ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବନ୍ୟା ବିପର୍ଯ୍ୟୟ ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ବନ୍ୟାଜନିତ ମୃତ୍ୟୁସଂଖ୍ୟା ୨୮୦ ଟପି ସାରିଲାଣି। କେବଳ‌ କେରଳରେ ୯୫ ଜଣଙ୍କ ମୃତ୍ୟୁ ହୋଇଛି। ଜମ୍ମୁ କଶ୍ମୀର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ନାହିଁ ନଥିବା ସ୍ଥିତି ଉପୁଜିଛି। କର୍ଣ୍ଣାଟକରେ ବନ୍ୟା ଯୋଗୁଁ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୬୦ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ୪୫ ଏବଂ ଗୁଜରାଟରେ ୩୫ ଜଣଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ ରାଜ୍ୟରେ ବନ୍ୟା ଭାରତ ପାଇଁ ଏବେ ଏକ ମହାବିପଦରେ ପରିଣତ ହୋଇଛି। ପ୍ରତିବର୍ଷ ଭାରତର ୧୫ ପ୍ରତିଶତ ଅଂଚଳ ବନ୍ୟା ‌ଯୋଗୁଁ କ୍ଷତିଗ୍ରସ୍ତ ହେଉଛି। ବନ୍ୟା ପାଇଁ ଦେଶରେ ପ୍ରତିବର୍ଷ ୨୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଉଥିବା ଜଣାପଡ଼ିଛି। ପ୍ରତିବର୍ଷ ୬୦ ଲକ୍ଷ ହେକ୍ଟର ଚାଷଜମି ନଷ୍ଟ ହେଉଛି। ଏଥିଯୋଗୁଁ ପ୍ରାୟ ୧୮୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ମାସକ ପୂର୍ବେ ବିହାର ଏବଂ ଆସାମରେ ବନ୍ୟା ଯୋଗୁଁ ୧୭୫ ଜଣଙ୍କ ମୃତ୍ୟୁ ‌ହୋଇଥିଲା।

୨୦୧୬-୧୭ ମସିହାରେ ବନ୍ୟା‌ ଯୋଗୁଁ ଭାରତରେ ୧୫୫୦ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୭-୧୮ରେ ୨୪୯୪, ୨୦୧୮-୧୯ରେ ୨୦୪୫ ଏବଂ ଏବଂ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ପ୍ରାୟ ୫ ଶହ ଲୋକଙ୍କ ମୃତ୍ୟୁ ହୋଇଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବନ୍ୟା ‌‌ଯୋଗୁଁ ଲକ୍ଷାଧିକ ଘର ନଷ୍ଟ ହେଉଛି। ୨୦୧୬ -୧୭ରେ ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ‌ଯୋଗୁଁ ୫.୫ ଲକ୍ଷ ଘର ନଷ୍ଟ ହୋଇଥିଲା। ୨୦୧୭-୧୮ରେ ୧୧.୯ ଲକ୍ଷ, ୨୦୧୮-୧୯ରେ ୧୫.୬ ଲକ୍ଷ, ୨୦୧୯-୨୦ରେ ୬ଲକ୍ଷ ଘର ନଷ୍ଟ ହୋଇଥିଲା। କିନ୍ତୁ ସରକାରଙ୍କ ପକ୍ଷରୁ ସ୍ଥିତି ନିୟନ୍ତ୍ରଣ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଫଳ ହେଉଛି। ଲଗାଣ ବର୍ଷା ଯୋଗୁଁ ବନ୍ୟା ହେଉଥିଲେ ମଧ୍ୟ ଯୋଜନା ଏବଂ ପରିଚାଳନା ଅଭାବରୁ ପ୍ରବଳ କ୍ଷତି ସହିବାକୁ ପଡ଼ୁଛି। ସରକାର ବନ୍ୟା ପରେ ଲୋକଙ୍କୁ କ୍ଷତିପୂରଣ ଦେଉଛନ୍ତି, କିନ୍ତୁ ଏହା ପୂର୍ବରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହେଉଛନ୍ତି। ପାଣିପାଗ ଆକଳନ ପାଇଁ ସରକାରୀ ସଂସ୍ଥାଗୁଡ଼ିକ ସଠିକ୍‌ କୌଶଳ ଅବଲମ୍ବନ କରିବା ଉଚିତ୍‌ ବୋଲି ମତପ୍ରକାଶ ପାଇଛି। ୨୦୧୭ ସିଏଜି ରିପୋର୍ଟରୁ ଜଣାପଡ଼ିଥିଲା ଯେ ବନ୍ୟା ଆକଳନ ପାଇଁ ସରକାରଙ୍କ ଦ୍ବାରା ଦେଶରେ ୨୧୯ଟି ଟେଲିମେଟ୍ରି ଷ୍ଟେସନ୍‌ ପ୍ରତିଷ୍ଠା ପାଇଁ ଯୋଜନା ହୋଇଥିବା ବେଳେ ସେଥିରୁ ମାତ୍ର ୫୬ଟି ପ୍ରତିଷ୍ଠା ହୋଇଛ। ତେବେ ଅବସ୍ଥାପିତ ହୋଇଥିବା ଟେଲିମେଟ୍ରି ‌ଷ୍ଟେସନ୍‌ଗୁଡ଼ିକ ମଧ୍ୟରୁ ୬୦ ପ୍ରତିଶତ କାମ କରୁନାହିଁ।

ସମ୍ବନ୍ଧିତ ଖବର