କମିସନର୍‌ ସମ୍ମୁଖରେ କାନ୍ଦି କାନ୍ଦି କହିଲେ ଦାତି ମହାରାଜ-ମୁଁ ନପୁଂସକ, ଦୁଷ୍କର୍ମ କିପରି କରିବି ?

ନୂଆଦିଲ୍ଲୀ: ଭଣ୍ଡ ବାବାମାନଙ୍କ ବ୍ୟଭିଚାର ଓ କଳାକାରନାମାର ଆଉ ଏକ କାହାଣୀ ନିକଟରେ ସାମ୍ନାକୁ ଆସିଥିଲା। ଶନି ଉପାସକ ବୋଲାଉଥିବା ଦାତି ମହାରାଜଙ୍କ ନାମରେ ତାଙ୍କର ଜଣେ ଶିଷ୍ୟା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଗତ ଶୁକ୍ରବାର ଦିଲ୍ଲୀ ପୁଲିସର କ୍ରାଇମ୍‌ ବ୍ରାଞ୍ଚ ଦାତି ମହାରାଜଙ୍କୁ ପଚରାଉଚରା କରିଛନ୍ତି। ଏହି ଜେରା ସମୟରେ ଦାତି ମହାରାଜ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହିତ, ସେ ନପୁଂସକ, ଦୁଷ୍କର୍ମ କିପରି କରିବେ ବୋଲି କାନ୍ଦି କାନ୍ଦି କମିସନରଙ୍କ ସାମ୍ନାରେ କହିଥିଲେ। ତେବେ ଏଯାବତ୍‌ ଉପଯୁକ୍ତ ପ୍ରମାଣ ନମିଳିବା ହେତୁ ଦାତି ମହାରାଜଙ୍କୁ ଗିରଫ କରାଯାଇନାହିଁ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ଅଭିଯୋଗ ପରେ ବାବାଙ୍କ ପାଶବିକ ଅତ୍ୟାଚାରର କାହାଣୀ ଉପରୁ ପର୍ଦ୍ଦା ଉଠିଥିଲା। ପୀଡ଼ିତାଙ୍କ ପରିବାର ଦୀର୍ଘ ୧୫ ବର୍ଷ ଧରି ବାବା ଦାତି ମହାରାଜଙ୍କ ଅନୁଗାମୀ ଥିଲେ। ପୂର୍ବ ଯୋଜନା ଅନୁଯାୟୀ ବାବାଙ୍କର ଜଣେ ମହିଳା ଭକ୍ତ ଶ୍ରଦ୍ଧା ଓରଫ ଗୀତୁ ୨୫ ବର୍ଷୀୟୀ ପୀଡ଼ିତାଙ୍କୁ ‘ଚରଣ ସେବା’ କରିବାକୁ ବାବାଙ୍କ ନିକଟକୁ ନେଇଯାଇଥିଲେ।

ପୀଡ଼ିତାଙ୍କ ବୟାନ ଅନୁଯାୟୀ, ବାବା ଏକ ଅନ୍ଧାର ଗୁମ୍ଫାରେ ଥିଲେ। ପୀଡ଼ିତାଙ୍କୁ ଧଳା ପୋଷାକ ପିନ୍ଧାଇ ଦିଆଯାଇଥିଲା। ସେ କିଛି ବୁଝିବା ପୂର୍ବରୁ ବାବା ତାଙ୍କୁ ବଳପୂର୍ବକ ମାଡ଼ି ବସିଥିଲେ। ଏହାପରେ ବାବା ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଯନ୍ତ୍ରଣାରେ ବିକଳ ଚିତ୍କାର କରୁଥିଲେ ମଧ୍ୟ ଦାତି ମହାରାଜ କୁକର୍ମ ଜାରି ରଖିଥିଲେ। ଏହି ଘଟଣା ଥିଲା ୨୦୧୬ ମସିହା ଜାନୁଆରି ୯ ତାରିଖର। ଏହାପରେ ସେହିବର୍ଷ ପୁଣି ଥରେ ମାର୍ଚ୍ଚ ୨୬,୨୭ ଓ ୨୮ତାରିଖରେ ଭିନ୍ନ ଭିନ୍ନ ସ୍ଥାନରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ବାବା। ଶେଷରେ ଦାତି ମହାରାଜା ପୀଡ଼ିତାଙ୍କୁ କହିଥିଲେ କି ‘ତୁମ ସେବା ଏବେ ସଂପୂର୍ଣ୍ଣ ହେଲା’।

ବାବାଙ୍କ ଦ୍ୱାରା ପାଶବିକ ଅତ୍ୟାଚାରର ଶିକାର ହେବା ପରେ ବାବାଙ୍କ ସହଯୋଗୀ ଶ୍ରଦ୍ଧା ପୀଡ଼ିତାଙ୍କୁ ବୁଝାଇଥିଲା କି ଏହାଫଳରେ ତାଙ୍କର ମୋକ୍ଷ ପ୍ରାପ୍ତି ହେବ। ଏବେ ତୁମେ ବାବାଙ୍କର ହୋଇଗଲ। ଏ ସବୁ ନୂଆ ନୁହେଁ,ଆମେ ଏହିକାମ କରିସାରିଛୁ,ଆଜି ତୁମେ କଲ। ବର୍ତ୍ତମାନ ପୀଡ଼ିତାଙ୍କ ପରିବାର ନ୍ୟାୟ ଭିକ୍ଷା କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗର ପ୍ରକୃତ ତଦନ୍ତ କଲେ ବାବାଙ୍କ ବଳାତ୍କାରୀ ଚେହେରା ସାମ୍ନାକୁ ଆସିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର