ରାଜନକୁ ହତ୍ୟା ଯୋଜନା କରୁଛି ଦାଉଦ

ନୂଆଦିଲ୍ଲୀ: ପାକିସ୍ତାନରେ ଲୁଚିଥିବା ଭାରତର ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମ୍‌ ତିହାର ଜେଲ୍‌ରେ ବନ୍ଦିଥିବା ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଛୋଟା ରାଜନକୁ ହତ୍ୟା କରିବାକୁଯୋଜନା ପ୍ରସ୍ତୁତ କରୁଛି ବୋଲି ଗୁଇନ୍ଦା ସଂସ୍ଥା ସୂତ୍ରରୁ ଜଣାପଡ଼ିଛି। ଗୁଇନ୍ଦା ବିଭାଗ ଏନେଇ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଦେବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ନିରଜ ବାଓ୍ଵନାର ସହଯୋଗୀ ଦ୍ୱାରା ଏହି ଖବର ଗୁଇନ୍ଦା ସଂସ୍ଥା ନିକଟରେ ପହଞ୍ଚିଛି। ରାଜନକୁ ହତ୍ୟା କରିବାପାଇଁ ଡି କମ୍ପାନି ବାଓ୍ଵନା ସହ କଥାବାର୍ତ୍ତା ଚଳାଇଥିଲା। ଛୋଟା ରାଜନ ଯେଉଁ ଜେଲ୍‌ରେ ଅଛି ସେହି ଜେଲ୍‌ରେ ନିରଜ ବାଓ୍ଵନା ଥିଲା, କିନ୍ତୁ ଗୁଇନ୍ଦା ସଂସ୍ଥା ମାମଲାକୁ ହାତକୁ ନେବାପରେ ବାଓ୍ଵନାକୁ ଅନ୍ୟ ଏକ ପ୍ରକୋଷ୍ଠକୁ ପଠାଇ ଦିଆଯାଇଥିଲା। ଏହା ସହିତ ତା’ ପ୍ରକୋଷ୍ଠରୁ ଅନେକ ସେଲଫୋନ୍‌ ଉଦ୍ଧାର କରାଯାଇଥିଲା। ତେବେ ରାଜନ୍‌ର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି ଏବଂ ତା’ ପାଇଁ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ରହିଛନ୍ତି ବୋଲି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ବାଓ୍ଵନାର କୌଣସି ସହଯୋଗୀ ରାଜନ୍‌ ପାଖରେ ପହଞ୍ଚି ପାରିବେନି ବୋଲି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର