ଭାରତ ଫେରିବାକୁ ଚାହୁଛି ଦାଉଦ୍‌

ସର୍ତ୍ତକୁ ସରକାରଙ୍କ ପ୍ରତ୍ୟାଖ୍ୟାନ

ମୁମ୍ବାଇ:  ୧୯୯୩ ମୁମ୍ବାଇ ସିରିଜ୍‌ ବିସ୍ଫୋରଣର ମାଣ୍ଟରମାଇଣ୍ଡ୍‌ ତଥା ଭାରତର ମୋଷ୍ଟ୍‍ ଓ୍ଵାଣ୍ଟେଡ ଆତଙ୍କବାଦୀ ଦାଉଦ୍‌୍‌ ଇବ୍ରାହିମ୍‌ ଏବେ ଭାରତ ଫେରିବାକୁ ଚାହୁଛି। ଦାଉଦ୍‌ ଭାରତ ଫେରି ମୁମ୍ବାଇ ଆର୍ଥର ରୋଡ୍‌ କେନ୍ଦ୍ରୀୟ ଜେଲ୍‌ରେ ରହିବାକୁ ଚାହୁଛି ବୋଲି ବିଶିଷ୍ଟ ଆଇନଜୀବୀ ଶ୍ୟାମ କେଶଓ୍ଵାନି କହିଛନ୍ତି। ତେବେ ଏହି ପଳାତକ ମାଫିଆ ଡନ୍‌ ଭାରତ ଫେରିବା ପାଇଁ ଯେଉଁ ପୂର୍ବ ସର୍ତ୍ତ ରଖିଛି ତାହାକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଆଜି ଥାନେରେ ଅଦାଲତ ବାହାରେ ଗଣମାଧ୍ୟକୁ କେଶଓ୍ଵାନି କହିଛନ୍ତି ଯେ ସେ ଦାଉଦ୍‌ର ଭାଇ ଇକ୍‌୍‌ବାଲ ଇବ୍ରାହିମ ବିରୋଧରେ ଥିବା ବିଭିନ୍ନ ଅପରାଧିକ ମାମଲାରେ ତା’ର ପକ୍ଷ ଲଢ଼ୁଛନ୍ତି ଏବଂ ଦାଉଦ୍‌ ଫେରିବା ନେଇ ବ୍ୟାକୁଳ ରହିଥିବା ସୂଚନା ସେ ପାଇଛନ୍ତି। କେଶଓ୍ଵାନି କହିଛନ୍ତି ଯେ ଦାଉଦ୍‌ ଭାରତ ଫେରିବା ପରେ କଡ଼ା ସୁରକ୍ଷା ବନ୍ଦୋବସ୍ତ ଥିବା ଆର୍ଥର ରୋଡ କେନ୍ଦ୍ରୀୟ କାରାଗାରରେ ରହିବାକୁ ହିଁ ଚାହୁଛି।  ନିଜର ସୁରକ୍ଷା ଦୃଷ୍ଟିରୁ ସେ ଏଭଳି ଚାହୁଥିଲେ ମଧ୍ୟ ଏହି ମାଫିଆ ଡନ୍‌ ଡନ୍‌ର କୌଣସି ସର୍ତ୍ତକୁ ଗ୍ରହଣ କରିବା ପାଇଁ ସରକାର ପ୍ରସ୍ତୁତ ହେଉନାହାନ୍ତି। ଦାଉଦ୍‌ ପୂର୍ବରୁ ମଧ୍ୟ ତା’ର ଏଭଳି ଇଚ୍ଛା ବିଶିଷ୍ଟ ଆଇନଜୀବୀ ରାମ ଜେଠାମାଲାନିଙ୍କୁ ମଧ୍ୟ ଜଣାଇଥିଲେ। ତେବେ ବାସ୍ତବତା ହେଉଛି ସରକାର ଦାଉଦ୍‌ର କୌଣସି ସର୍ତ୍ତକୁ ଗ୍ରହଣ କରବାକୁ ପ୍ରସ୍ତୁତ ନାହାନ୍ତି। ସୂଚନାଯୋଗ୍ୟ ଆର୍ଥର ରୋଡ ସେଣ୍ଟ୍ରାଲ ଜେଲ୍‌ରେ  ମୁମ୍ବାଇ  ହମ୍‌୍‌ଲା ସମୟରେ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବକୁ ପ୍ରାୟ ୪ ବର୍ଷ ରଖାଯାଇଥିଲା। ପରବର୍ତ୍ତୀ ସମୟରେ କସାବକୁ ଫାଶୀ ଦିଆଯାଇଥିଲା। ଗତ ବର୍ଷ ସେପ୍ଟେମ୍ବରରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଥାକରେ ମଧ୍ୟ ତାଙ୍କ ଫେସବୁକ୍‌ ପେଜ୍‌ ଲଞ୍ଚ୍‌ ଅସରରେ ଦାବି କରିଥିଲେ ଯେ ଦାଉଦ୍‌ ନିଜେ ଭାରତ ଆସିବାକୁ ଚାହୁଛି । ଥାକରେ ଏକ ବିସ୍ଫୋରକ ବୟାନରେ କହିଥିଲେ ଯେ ମୋଦି ସରକାରଙ୍କ ସହ ବୁଝାମଣା କରି ଦାଉଦ୍‌ ଭାରତ ଫେରିବାକୁ ଚାହୁଛି । ଏପରିକି ଦାଉଦ୍‌ ଫେରିବା ପରେ ଏହାର ରାଜନୈତିକ ଫାଇଦା ବିଜେପିକୁ ହିଁ ମିଳିବ ବୋଲି ସେ କହିଥିଲେ। ଏବେ  ଦାଉଦ୍‌୍‌ ବହୁତ ରୁଗ୍‌ଣ ହୋଇପଡ଼ିଛି ଏବଂ ସେ ଭାରତରେ ତା’ର ଶେଷ ଜୀବନ କଟାଇବାକୁ ଚାହୁଛି ବୋଲି ଥାକରେ କହିଥିଲେ। ବିଭିନ୍ନ ରାଷ୍ଟ୍ରରେ ଥିବା ଦାଉଦ୍‌ର ସମ୍ପତ୍ତି ଉପରେ ଚଢ଼ଉ ହେବାପରେ ଏବେ ସେ ବ୍ୟତିବ୍ୟସ୍ତ ହୋଇଉଠିଛି ଏବଂ ପାକିସ୍ତାନରେ  ତୁହାକୁ ତୁହା ଠିକଣା ବଦଳାଇ ରହୁଛି । ପାକିସ୍ତାନର ଭିନ୍ନ ଭିନ୍ନ ସହରରେ ଦାଉଦ୍‌ର ଅନେକ ଘର ରହିଛି ଏବଂ ପ୍ରତି ୨ ମାସରେ ଥରେ ସେ ସ୍ଥାନ ବଦଳାଉଥିବା କୁହାଯାଉଛି । ଗତବର୍ଷ ଦାଉଦ୍‌ର ଭାଇ ଇକବାଲ ଇବ୍ରାହିମକୁ ପୁଲିସ ଗିରଫ କରିବା ପରେ ଜେରା ବେଳେ ସେ କହିଥିଲା ଯେ ଦାଉଦ୍‌ ପାକିସ୍ତାନ ସରକାରର ଛତ୍ରଛାୟାରେ ରହିଛି ଏବଂ ସୁରକ୍ଷା ଦୃଷ୍ଟିରୁ ବାରମ୍ବାର ଠିକଣା ବଦଳାଉଛି ।  ଦାଉଦ୍‌ ଇବ୍ରାହିମ୍‌ର ପତ୍ନୀ ମେହଜବିନ ୨୦୧୬ରେ  ତାଙ୍କ ପିତାଙ୍କୁ ଭେଟିବାକୁ ମୁମ୍ବାଇ ଆସିଥିଲେ। ଫୋନ୍‌ ଟ୍ୟାପିଂ ଭୟରେ  ଦାଉଦ୍‌ ଭାରତରେ ଥିବା ନିଜ ସଂପର୍କୀୟଙ୍କ ସହ କଥାହେବା ମଧ୍ୟ ବନ୍ଦ କରିଦେଇଛି।

ସମ୍ବନ୍ଧିତ ଖବର