ଯକୃତ ଦାନ କରି ଝିଅ ବଞ୍ଚାଇଦେଲା ବାପାର ଜୀବନ

ଚେନ୍ନାଇ: ବାପା ପାଇଁ ଝିଅର ମହାଦାନ | ବାପା କିଭଳି ବଞ୍ଚିବେ, ମୁଣ୍ଡ ଉପରୁ କିଭଳି ଦୁରେଇ ଯିବନି ବାପାର ହାତ, ୧୯ ବର୍ଷ ଧରି ବାପାଙ୍କର ଅବଦାନକୁ ନ ଭୁଲି ନିଜ ଯକୃତର କିଛି ଅଂଶ ବାପାଙ୍କୁ ଦାନ କରିଛନ୍ତି ପଣ୍ଡିଚେରୀର ଜଣେ ଝିଅ | ଏବେ ଏହି ଝିଅର ଯକୃତରେ ହିଁ ଜଣେ ଅସୁସ୍ଥ ବାପା ନୂଆ ଜୀବନ ପାଇପାରିଛନ୍ତି | ଚେନ୍ନାଇର ଜୀଇଏମ ହସ୍ପିଟାଲରେ ଯକୃତ ଜନିତ ସମସ୍ୟାକୁ ନେଇ ଭର୍ତ୍ତି ହୋଇଥିଲେ ୪୮ ବର୍ଷର ଜଣେ ବ୍ୟକ୍ତି | ଜୀବନ-ମରଣ ସହ ସଂଘର୍ଷ କରୁଥିବା ଏହି ବ୍ୟକ୍ତିଙ୍କ ପାଇଁ ଯକୃତ ଅପରେସନ ହିଁ ଏକ ମାତ୍ର ବାଟ ଥିଲା | ଏହି ସମୟରେ ନିଜ ବାପାଙ୍କ ପାଇଁ ଆଗେଇ ଆସିଥିଲେ ୧୯ ବର୍ଷର ଝିଅ |

Photo-Patrika

ଇଂଜିନିୟରିଂ ପାଠ ପଢ଼ୁଥିବା ଏହି ଝିଅ ନିଜେ ଡାକ୍ତରଖାନାକୁ ଆସି ଡାକ୍ତରଙ୍କୁ ନିଜର ଯକୃତରୁ କିଛି ଅଂଶ ବାପାଙ୍କ ଶରୀରରେ ପ୍ରତିରୋପଣ କରିବାକୁ କହିଥିଲେ | ଝିଅର ନିଜ ବାପାଙ୍କ ପ୍ରତି ଥିବା ଅକୁଣ୍ଠ ଭଲ ପାଇବା ଦେଖି ଡାକ୍ତର ବି ରାଜି ହୋଇଯାଇଥିଲେ | ସାଢେ ତିନି ଘଣ୍ଟାର ଜଟିଳ ଅପରେସନ ପରେ ଝିଅର ଯକୃତରୁ କିଛି ଅଂଶ ଏହି ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା |

ବର୍ତ୍ତମାନ ଉଭୟ ବାପା ଓ ଝିଅ ସୁସ୍ଥ ଅଛନ୍ତି | ଜୀଇଏମ ହସ୍ପିଟାଲର ଡାକ୍ତର ସି ପଲନିବେଲୁ ଓ ତାଙ୍କ ଟିମ ମଙ୍ଗଳବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀଙ୍କୁ ଭେଟି ଏହି ଅପରେସନ ବାବଦରେ କହିଥିଲେ | ଏହାପରେ ମୁଖ୍ୟମନ୍ତ୍ରୀ ସୁନା ଝିଅକୁ ସମ୍ବର୍ଦ୍ଧିତ କରିଥିଲେ | ଏହି ଘଟଣାଟି ହିଁ କନ୍ୟା ରତନ କର ଯତନ ଉକ୍ତିଟିକୁ ସମସ୍ତଙ୍କୁ ମନେପକାଇଦେବ ଏବଂ ଝିଅ-ବାପାଙ୍କ ଅକୁହା ସମ୍ପର୍କକୁ ନିଆରା ଢଙ୍ଗରେ ବଖାଣିବ |

ସମ୍ବନ୍ଧିତ ଖବର