ରାଡାରରେ ଠାବ ହେଲା ମୃତଦେହ

ଭାରତୀୟ ଜୋତା ଓ ହାତର କଡ଼ା ଯୋଗୁଁ ଚିହ୍ନଟ ସହଜ ହୋଇଥିଲା

ନୂଆଦିଲ୍ଲୀ : ଇରାକ୍‌ର ମୋସୁଲ ସହର ନିକଟରୁ ଅପହୃତ ହୋଇଥିବା ୩୯ ଭାରତୀୟଙ୍କ ମୃତ୍ୟୁ ସଂପର୍କରେ ସ୍ପଷ୍ଟ ଚିତ୍ର ମିଳିବା ପରେ ଏବେ ଏହି ଘଟଣା ନେଇ ବ୍ୟାପକ ଚର୍ଚ୍ଚା ଚାଲିଛି। ସମସ୍ତ ମୃତଦେହକୁ ମୋସୁଲର ବାଦୁସ ଗ୍ରାମ ନିକଟ ଏକ ଗଣକବର ଭିତରୁ ଉଦ୍ଧାର କରାଯିବା ପ୍ରକ୍ରିୟା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ଡିପ୍‌୍‌ ପେନିଟ୍ରେସନ ରାଡାର ମାଧ୍ୟମରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଏକ ଗଣକବର ଭିତରେ ଭାରତୀୟଙ୍କ ମୃତଦେହ ଥିବା ସନ୍ଦେହ କରାଯାଇଥିଲା। ଶବଗୁଡ଼ିକୁ ବାହାର କରିବା ପରେ ଶବ ଦେହରେ ଥିବା ଭାରତୀୟ ଜୋତା, ହାତର କଡ଼ା ଏବଂ ପରିଚୟପତ୍ର ଆଧାରରେ ସେମାନଙ୍କୁ ଚିହ୍ନଟ କରାଯାଇ ଡିଏନ୍‌୍‌ଏ ମେଳ କରାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

୧୫ ଜୁନ୍‌ ୨୦୧୪ରେ ପ୍ରାୟ ୪୦ ଜଣ ଭାରତୀୟ ଶ୍ରମିକଙ୍କୁ ମୋସୁଲ ନିକଟରୁ ଅପହରଣ କରାଯାଇଥିବା ଖବର ମିଳିଥିଲା ଏବଂ ଭାରତ ସରକାର ଏହି ଘଟଣାକୁ ସ୍ୱୀକାର କରିବା ସହ ଆଇଏସ୍‌ ଆତଙ୍କବାଦୀଙ୍କ କବଳରୁ ସେମାନଙ୍କୁ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ତେବେ ଅପହରଣର କିଛି ଦିନ ପରେ ପଞ୍ଜାବ ଗୁରୁଦାସପୁରରେ ରହୁଥିବା ୨୫ ବର୍ଷୀୟ ଯୁବକ ହରଜିତ ମସିହ କୌଣସି ପ୍ରକାରେ ଆତଙ୍କବାଦୀ କବଳରୁ ଖସି ଆସିବାକୁ ସକ୍ଷମ ହୋଇଥିଲେ। ସେ ଭାରତରେ ପହଞ୍ଚି ସମସ୍ତ ଅପହୃତ ଭାରତୀୟ ଶ୍ରମିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି ବୋଲି କହିଥିଲେ। ସେ ଗଣମାଧ୍ୟମକୁ କହିଥିଲେ ଅପହରଣର ୪/୫ ଦିନ ପରେ ସମସ୍ତଙ୍କୁ ଏକ ପାହାଡ଼ ତଳେ ଧାଡ଼ିରେ ଛିଡ଼ା ହେବାକୁ କୁହାଯାଇଥିଲା। ଏହା ପରେ ସମସ୍ତଙ୍କୁ ପଛରୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ହରଜିତଙ୍କ ଗୋଡ଼ରେ ଗୁଳି ବାଜିବା ପରେ ସେ ପଡ଼ିଯାଇଥିଲେ ଏବଂ ମୃତଭଳି ଅଭିନୟ କରିଥିଲେ। ଆତଙ୍କବାଦୀମାନେ ସେଠାରୁ ଯିବା ପରେ ସେ ଦେଖିଥିଲେ ଯେ ଅନ୍ୟ କୌଣସି ଭାରତୀୟ ଶ୍ରମିକଙ୍କ ଦେହରେ ଜୀବନ ନାହିଁ। ସେଠାରୁ ସେ ବହୁ କଷ୍ଟରେ ଫେରି କିଛିଦିନ ଇରାକ୍‌ରେ ରହିଥିବା ଏକ ବାଂଲାଦେଶୀ ଯୁବ ଗୋଷ୍ଠୀ ସହିତ ରହିଥିଲେ। ଏହା ପରେ ଏକ କମ୍ପାନି ସହାୟତାରେ ଭାରତୀୟ ଦୂତାବାସରେ ପହଞ୍ଚିଥିଲେ।

ହରଜିତଙ୍କ ଦାବି ସମେତ ଅନ୍ୟ ପ୍ରମାଣ ଆଧାରରେ ଭାରତ ସରକାର ଖୋଳତାଡ଼ ଆରମ୍ଭ କରିଥିଲେ ଏବଂ ଇରାକ୍‌ ସରକାରଙ୍କ ସହଯୋଗରେ ମୋସୁଲର ପାହାଡ଼ିଆ ଅଂଚଳରେ ବ୍ୟାପକ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ବାଦୁସ ଗ୍ରାମ ନିକଟରେ ଗଣକବର ଠାବ ହେବାପରେ ସେଠାରେ ବିଦେଶ ବ୍ୟାପାର ରାଜ୍ୟ ମନ୍ତ୍ରୀ ଭି.କେ ସିଂହ ଭାରତୀୟ ଅଧିକାରୀଙ୍କ ସହ ପହଞ୍ଚିଥିଲେ ଏବଂ ଇରାକୀ ଅଧିକାରୀଙ୍କ ସହ ବୈଠକ କରି ତଲାସ ପାଇଁ ରଣନୀତି ତୟାର କରିଥିଲେ। ମୋସୁଲଠାରୁ ୨୫ କିମି ଦୂର ବାଦୁସ ଗ୍ରାମ ନିକଟରେ ଏକ ବିଶାଳ ଗଣକବର ଠାବ ହେବାପରେ ସେଠାରୁ ଶବ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଇତିମଧ୍ୟରେ ନିଖୋଜ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କଠାରୁ ସଂଗୃହୀତ ଡିଏନ୍‌ଏ ନମୁନା ଇରାକ୍‌ର ଅଧିକାରୀଙ୍କୁ ଦିଆଯାଇଥିଲା। କବର ଅଂଚଳରେ ଅନ୍ୟ ଏକ ପୃଥକ କବର ଭିତରେ ୩୯ଟି ମୃତଦେହ ଥିବା ଜଣାପଡ଼ିବା ପରେ ସେଗୁଡ଼ିକ ଭାରତୀୟ ଶ୍ରମିକଙ୍କର ହୋଇଥିବା ସନ୍ଦେହ ବଳବତ୍ତର ହୋଇଥିଲା। ଶବ ନିକଟରୁ ମିଳିଥିବା ପ୍ରମାଣପତ୍ର, କଡ଼ା ଏବଂ ଭାରତୀୟ ଜୋତା ଯୋଗୁଁ ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇଥିଲା। ଡିଏନ୍‌ଏନ୍‌ ପରୀକ୍ଷା ପରେ ୩୮ ଜଣ ଭାରତୀୟଙ୍କୁ ଶତ ପ୍ରତିଶତ ଚିହ୍ନଟ କରାଯାଇଥିଲା। ଏହି ପ୍ରକ୍ରିୟା ଚାଲିଥିବା ବେଳେ ବିଦେଶ ରାଜ୍ୟମନ୍ତ୍ରୀ ଭି.କେ. ସିଂହ ବାଦୁସ ଗ୍ରାମରେ ଏକ କ୍ଷୁଦ୍ର କୋଠରିର ଚଟାଣରେ ଏକ ରାତି ବିତାଇଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର