ଗଭୀର ନାଳୀ‌ ଭିତରକୁ ଖସି ପଡ଼ି ପାକିସ୍ତାନ ସୀମାକୁ ଚାଲି ଯାଇଥିଲେ ବିଏସ୍‌ଏଫ୍‌ ଯବାନ, ଆଜି ମିଳିଲା ମୃତଦେହ

ଇସଲାମାବାଦ: ବର୍ଡର ସିକ୍ୟୁରଟି ଫୋର୍ସ(ବିଏସଏଫ)ର ନିଖୋଜ ହୋଇଯାଇଥିବା ଜଣେ ଯବାନଙ୍କ ମୃତଦେହ ପାକିସ୍ତାନ ସୀମାରୁ ମଙ୍ଗଳବାର ମିଳିଛି। ସିକ୍ୟୁରଟି ଫୋର୍ସ(ବିଏସଏଫ)ର ସବ-ଇନ୍ସପେକ୍ଟର ପରିତୋଷ ମଣ୍ଡଳ(୫୪) ଗତ ୨୮ ସେପ୍ଟେମ୍ବରରୁ ଅନ୍ତର୍ଜାତୀୟ ସୀମା ନିକଟରେ ଥିବା  ଇକେ ନାଳ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ନିଖୋଜ ହୋଇଯାଇଥିଲେ। ମଙ୍ଗଳବାର ପାକିସ୍ତାନୀ ରେଞ୍ଜର୍ସ ଏହି ଅଞ୍ଚଳରେ ପଇଁତରା ମାରିବା ସମୟରେ ଏହି  ବିଏସ୍‌ଏଫ୍‌ ଯବାନଙ୍କ ଶବ ମିଳିଥିଲା। ଏହାପରେ ପାକିସ୍ତାନ ସସମ୍ମାନେ ଭାରତକୁ ପରିତୋଷ ମଣ୍ଡଳଙ୍କ ମୃତଦେହକୁ ଫେରାଇ ଦେଇଥିଲା।

ସୂଚନାଯୋଗ୍ୟ, ଆରଏସପୁରାର ଆର୍ଣ୍ଣିଆ ସେକ୍ଟରରେ ପେଟ୍ରୋଲିଂ କରୁଥିବାବେଳେ ୪ ଦିନ ତଳେ ବିଏସଏଫର ସବ-ଇନ୍ସପେକ୍ଟର ପରିତୋଷ ମଣ୍ଡଳ ନିଖୋଜ ହୋଇଯାଇଥିଲେ। ସେ ଓ ଦୁଇ ଜଣ କନଷ୍ଟେବଳ ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବାବେଳେ ଦୁର୍ଭାଗ୍ୟବଶତଃ ପରିତୋଷ ଗଭୀର ନାଳୀକୁ ଖସି ପଡ଼ିଥିଲେ। ଏହାପରେ ଏହି ନିଖୋଜ ବିଏସଏଫ ଯବାନଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଥିଲା।

ଏଥିସହିତ ଯଦି ପରିତୋଷଙ୍କ ବାବଦରେ କୌଣସି ସୂଚନା ମିଳେ ତା’ହେଲେ ତୁରନ୍ତ ଭାରତକୁ ଖବର ଦେବାପାଇଁ ପାକିସ୍ତାନକୁ ମଧ୍ୟ ଏ ବାବଦରେ ସୂଚନା ଦିଆଯାଇଥିଲା। ଆଜି ତାଙ୍କ ମୃତଦେହ ମିଳିବା ପରେ ପାକିସ୍ତାନ ତୁରନ୍ତ ଭାରତକୁ ଫେରାଇ ଦେଇଛି।

ସମ୍ବନ୍ଧିତ ଖବର