ସୁଟ୍‌କେସ୍‌ରୁ ମିଳିଲା ନିଖୋଜ ଶିଶୁର ଶବ

ନୂଆଦିଲ୍ଲୀ : ପାଖାପାଖି ମାସେ ତଳେ ନିଖୋଜ ହୋଇଯାଇଥିବା ଦିଲ୍ଲୀର ଏକ ଶିଶୁର ମୃତଦେହ ଆଜି ଏକ ସୁଟ୍‌କେସ୍‌ରୁ ମିଳିଛି। ଉତ୍ତରପଶ୍ଚିମ ଦିଲ୍ଲୀର ସ୍ୱରୂପନଗର ଅଞ୍ଚଳର ୭ ବର୍ଷୀୟ ଶିଶୁ ଆଶିଶକୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ ତା’ ମୃତ ଶରୀରକୁ ଏକ ସୁଟ୍‌କେସ୍‌ ଭିତରେ ପୁରାଇ ରଖାଯାଇଥିଲା। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆଜି ନାଥୁପୁରା ଗ୍ରାମରୁ ଆଶିଶଙ୍କ ଘରେ ରହୁଥିବା ଜଷଣ ଭଡ଼ାଟିଆ ଅଭଦେଶ ସାକ୍ୟଙ୍କ ସୁଟ୍‌କେସ୍‌ରୁ ଆଶିଶଙ୍କ ମୃତଦେହ ମିଳିଛି। ଉତ୍ତରପଶ୍ଚିମ ଦିଲ୍ଲୀର ଡେପୁଟି ପୁଲିସ କମିସନରଙ୍କ କହିବା ଅନୁଯାୟୀ ଆଶିଶ ଗତ ଜାନୁଆରୀ ୭ ତାରିଖରେ ନିଖୋଜ ହୋଇଯାଇଥିଲେ।

ଅନେକ ଖୋଜାଖୋଜି ପରେ ମଧ୍ୟ ସେ ମିଳିନଥିଲେ। କିନ୍ତୁ ଶେଷରେ ଏକ ସୁଟ୍‌କେସରୁ ହିଁ ତାଙ୍କ ମୃତଦେହ ମିଳିଛି। ଅପରାଧର ସ୍ପଷ୍ଟ କାରଣ ଏଯାବତ୍‌ ଜଣାପଡ଼ିନି। ପୁଲିସ ସୁତ୍ରରୁ ଜଣାଯାଇଛି ଯେ ଅଭିଯୁକ୍ତ ସାକ୍ୟ ମୃତ ଶିଶୁ ଆଶିଶର ବାପା ମା’ଙ୍କ ପ୍ରତି ଅସନ୍ତୁଷ୍ଟ ଥିଲା। କିନ୍ତୁ ଆଶିଶ ସାକ୍ୟର ଖୁବ୍‌ ନିକଟତର ଥିଲା। ହେଲେ ଆଶିଶର ବାପା ମା’ ତାକୁ ସାକ୍ୟ ନିକଟକୁ ଛାଡ଼ିବାକୁ ଦେଉନଥିଲେ। ତେବେ କେଉଁ କାରଣ ପାଇଁ ସେ ଆଶିଶକୁ ମାରିବାପାଇଁ ହାତ ବଳାଇଲା ତାହା ଏଯାବତ୍‌ ଜଣାପଡ଼ିନି। ସୂଚନାଯୋଗ୍ୟ ସାକ୍ୟ ଆଶିଶଙ୍କ ଘରେ ଭଡ଼ାଟିଆ ଭାବେ ଗତ ୮ ବର୍ଷ ହେବ ରହିଆସୁଥିଲା। ପ୍ରାରମ୍ଭରେ ସେମାନଙ୍କ ସହ ରହିବାପରେ ସେ ଗତ ୫ ବର୍ଷ ହେବ ଉକ୍ତ ପରିବାରର ଅନ୍ୟ ଏକ ଘରେ ରହି ଆସୁଥିଲା। ସେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ୟ ହେଉଥିଲା। ଅନ୍ୟପକ୍ଷରେ ଆଶିଶ ନିଖୋଜ ହେବା ପରେପରେ ହିଁ ତାକୁ ହତ୍ୟା କରାଯାଇଛି ବୋଲି ପୁଲିସ ସନ୍ଦେହ କରୁଥିଲେ ମଧ୍ୟ ଶବବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଏବଂ ସମୟ ଜଣାପଡ଼ିବ।

ସମ୍ବନ୍ଧିତ ଖବର