ସ୍କୁଲ୍‌ ଟାଙ୍କିରେ ହଜିଲା ପୁଅର କଙ୍କାଳ:୧୮ ବର୍ଷ ଖୋଜି ଖୋଜି ନୟାନ୍ତ‌ ପୋଷାକକୁ ଚିହ୍ନିଲେ ପରିବାର ଲୋକ

ନୂଆଦିଲ୍ଲୀ,: ଦିନେ କି ଦୁଇଦିନ ନୁହେଁ। ୧୮ ବର୍ଷ ଧରି ନିଜ ହଜିଲା ପୁଅକୁ ଖୋଜି ଖୋଜି ନୟାନ୍ତ ହୋଇପଡ଼ିଥିଲେ। ତଥାପି ପୁଅର ଫେରିବା ବାଟକୁ ଚାହିରହିଥିଲେ। କିନ୍ତୁ ଏବେ ଆଉ ଖୋଜାଖୋଜି କି ଅପେକ୍ଷା ନାହିଁ। ୧୮ ବର୍ଷ ପରେ ସେମାନେ ନିଜ ହଜିଲା ପୁଅର କଙ୍କାଳ ପାଇବା ପରେ ଏହି ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଘଟଣାଟି ଦିଲ୍ଲୀର ମୁଖମେଲପୁରରେ ଘଟିଛି। ସ୍କୁଲ୍‌ର ପାଇଖାନା ଟାଙ୍କିରୁ ଏକ କଙ୍କାଳ ମିଳିବା ପରେ ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଛି।
ନିକଟରେ ସ୍କୁଲ୍‌ ଟାଙ୍କିରୁ କଙ୍କାଳ ମିଳିବା ପରେ ଏକ ପରିବାର ସାମ୍ନାକୁ ଆସିଥିଲା। ଏହି କଙ୍କାଳ ୨୦୦୨ରେ ନିଖୋଜ ହୋଇଯାଇଥିବା ସେମାନଙ୍କ ପୁଅ ଜାଭେଦ୍‌ ଓରଫ ଜେବିର ବୋଲି ପରିବାର ଲୋକ କହିଛନ୍ତି। କଙ୍କାଳ ସହିତ ମିଳିଥିବା ଏକ ପୋଷାକକୁ ଆଧାର କରି କଙ୍କାଳଟି ସେମାନଙ୍କ ପୁଅ ଜେବିର ବୋଲି ଏହି ପରିବାର ଦାବି କରିଛି। ତଥାପି ଏ ନେଇ ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ ବର୍ତ୍ତମାନ ଫୋରେନ୍‌ସିକ୍‌ ଲାବ୍‌କୁ କଙ୍କାଳ ପଠାଇଛି। ଟାଙ୍କିରୁ ମିଳିଥିବା ଖପୁରି ଓ ହାଡ଼ ଖଣ୍ଡକୁ ଯାଞ୍ଚ ପାଇଁ ପଠାଯାଇଛି। ଏହା ପୁରୁଷ କି ମହିଳାର ତାହା ଜଣାପଡ଼ିନାହିଁ। ସେହିଭଳି କେତେବର୍ଷ ହେଲା କଙ୍କାଳଟି ଟାଙ୍କିରେ ଥିଲା, ତାହା ଜାଣିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ମୁଖମେଲପୁରର ଏହି ପରିବାରର କହିବା ମୁତାବକ, ୨୦୦୦ରେ ଜାଭେଦ ସ୍ଥାନୀୟ ଏକ ଦୋକାନକୁ ଖାଲି କୋଲ୍ଡ ଡ୍ରିଙ୍କ୍ସ ବୋତଲ ଫେରାଇବାକୁ ଯାଇଥିଲା। ତା’ପରଠାରୁ ସେ ଆଉ ଫେରିନଥିଲା। ବହୁ ଖୋଜାଖୋଜି ପରେ ତା’ର କୌଣସି ସନ୍ଧାନ ମିଳିନଥିଲା। ଏ ନେଇ ଥାନାରେ ନିଖୋଜ ଅଭିଯୋଗ ମଧ୍ୟ କରିଥିଲେ। ତେବେ ଶେଷଥର ପାଇଁ ସେ ଯେଉଁ ପୋଷାକ ପିନ୍ଧିଥିଲା, ତାହା କଙ୍କାଳ ସହିତ ମିଳିଥିବା ପୋଷାକ ସହ ମେଳ ଖାଉଛି। ତେଣୁ ଏହି କଙ୍କାଳ ତାଙ୍କ ପୁଅ ଜାଭେଦ୍‌ର ବୋଲି ପରିବାର ଯୁକ୍ତି କରିଛି।

ସମ୍ବନ୍ଧିତ ଖବର