ସେଲ୍‌ଫି ନେଉ ନେଉ ୨୭ମହଲା ତଳକୁ ଖସିଲେ ମହିଳା, ଭାଇରାଲ ହେଲା ତଳକୁ ଖସୁଥିବା ସମୟର ଭୟାନକ ଭିଡ଼ିଓ

ନୂଆଦିଲ୍ଲୀ: ପୂର୍ବରୁ ସେଲ୍‌ଫି ନେଉଥିବା ସମୟରେ ଦୁର୍ଘଟଣାର ଶିକାର ହେବାର ଖବର ଅନେକ ଆସିଛି । ଏ ନେଇ ସରକାରଙ୍କ ତରଫରୁ ସାଧାରଣ ଲୋକମାନଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ବାରମ୍ବାର ଏଭଳି ଘଟଣା ଘଟିବାରେ ଲାଗିଛି । ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ପାନାମାରେ । ଜଣେ ୨୭ବର୍ଷୀୟ ମହିଳା ସେଲ୍‌ଫି ନେବା ପାଇଁ ୨୭ମହଲା ଉପରକୁ ଯାଇଥିବା ସମୟରେ ବାଲ୍‌କୋନିରେ ଠିଆ ସେଲ୍‌ଫି ନେବାକୁ ଲାଗିଥିଲେ ।

ସେଲ୍‌ଫି ନିଶାରେ ସେ ତଳକୁ ନଇଁ ଫଟୋ ଉଠାଇବାକୁ ପ୍ରୟାସ କରୁଥିବା ସମୟରେ ହଠାତ୍‌ ତାଙ୍କ ପାଦ ଖସି ଯାଇଥିଲା । ଯାହା ଫଳରେ ସେ ୨୭ମହଲା ତଳକୁ ଖସି ପଡ଼ିଥିଲେ । ଏହି ଦୁର୍ଘଟଣା ପରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଏହି ଘଟଣା ଘଟୁଥିବା ସମୟରେ ପାଖ ବିଲ୍‌ଡ଼ିଂରେ ଥିବା ଜଣେ ଯୁବକ ଏହାର ଭିଡ଼ିଓ ବନାଇଥିଲେ । ଯାହାକୁ ପରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯାଇଥିବା ବେଳେ ଏବେ ତାହା ଭାଇରାଲ ହୋଇଛି । ଏହି ଘଟଣାଟି ପାନାମା ସହରରେ ଥିବା ଇଆଇ ଟାଓ୍ଵାରରେ ଘଟିଥିବା ସୂଚନା ମିଳିଛି ।

 ସୂଚନା ମୁତାବକ, ମୃତ ମହିଳା ପର୍ତ୍ତୁଗାଲ ନିବାସୀ ହୋଇଥିବା ବେଳେ ସେ ଛୁଟି କଟାଇବା ପାଇଁ ସେଠାକୁ ଯାଇଥିଲେ । ମୃତ ମହିଳାଙ୍କ ଦୁଇଟି ସନ୍ତାନ ଥିବା ବେଳେ ଉପରେ ପବନର ଗତି ଅଧିକ ଥିବାରୁ ଏପରି ଘଟଣା ଘଟିଥିବା ଆଶଙ୍କା କରୁଛି ସ୍ଥାନୀୟ ପୁଲିସ ।

ସମ୍ବନ୍ଧିତ ଖବର