ମୁମ୍ବାଇ ହସ୍‌ପିଟାଲ ଅଗ୍ନିକାଣ୍ଡ,: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ମୁମ୍ବାଇ : ମୁମ୍ବାଇର ପୂର୍ବ ଅନ୍ଧେରି ସ୍ଥିତ ମାରୋଲର ୫ ମହଲା ବିଶିଷ୍ଟ ଇଏସ୍‌ଆଇସି କାମଗାର ହସ୍ପିଟାଲରେ ଗତକାଲି ଅପରାହ୍ନରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧିି ପାଇଛି। ଗତକାଲି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଆଉ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୪୪ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ମୃତକଙ୍କ ମଧ୍ୟରେ ଏକ ୨ ମାସର ଶିଶୁ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ଅଗ୍ନିକାଣ୍ଡ ସମୟରେ ହସ୍‌ପିଟାଲରେ ୧୬୦ରୁ ଊର୍ଦ୍ଧ୍ଵ ରୋଗୀ ଚିକିତ୍ସିତ ଥିଲେ। ତେବେ ରୋଗୀଙ୍କ ସମେତ ଅଧିକାଂଶ ଲୋକ ନିଆଁରୁ ନିଜକୁ ରକ୍ଷା କରିବାପାଇଁ ହସ୍ପିଟାଲ୍‌ ଛାତ ଉପରୁ ଡେଇଁ ପଡ଼ିଥିବାରୁ ଆହତ ହୋଇଛନ୍ତି। ପାଖାପାଖି ୧୦୮ ଜଣଙ୍କୁ ଉଦ୍ଧାର କରାଯାଇଛି।ଆଇସିୟୁ ବିଭାଗରୁ ଦୁଇ ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ଅପରାହ୍ନରେ ଲାଗିଥିବାଏହି ନିଆଁକୁ ଆୟତ କରିବା ପାଇଁ ୧୦ଟି ଫାୟାର ଇଞ୍ଜିନ୍‌, ୬ଟି ଟ୍ୟାଙ୍କର ବ୍ୟବହାର କରାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ରୋଗୀଙ୍କୁ ଉଦ୍‌ଧାର କରାଯିବା ସହିତ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ୧୬ ଆମ୍ବୁଲାନ୍‌ସ ବ୍ୟବହାର କରାଯାଇଥିଲା।

ସମ୍ବନ୍ଧିତ ଖବର