ନୂଆଦିଲ୍ଲୀ: ଲୋକପାଳ ସଦସ୍ୟ ନିଯୁକ୍ତି ନିମନ୍ତେ ଚୟନ କମିଟିର ବୈଠକ ତାରିଖ ଜଣାଇବାକୁ ସୁପ୍ରିମ୍ କୋର୍ଟ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କୁ ୧୦ ଦିନ ସମୟ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବତନ ସୁପ୍ରିମ୍ କୋର୍ଟ ବିଚାରପତି ରଞ୍ଜନ ପ୍ରକାଶ ଦେଶାଇ ତିନି ପାନେଲ୍ଙ୍କ ନାମ ଚୂଡ଼ାନ୍ତ କରିସାରିଥିବା କଥା ଆଟର୍ଣ୍ଣି ଜେନେରାଲ୍ କେକେ ବେଣୁଗୋପାଳ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ସୁପ୍ରିମ୍ କୋର୍ଟର ଖଣ୍ଡପୀଠଙ୍କୁ କହିଛନ୍ତି।
ଏହି ତିନି ପାନେଲ୍କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଥିବା ଚୟନ କମିଟିକୁ ପଠାଇ ଦିଆଯାଇଛି। ସେଥି ମଧ୍ୟରୁ ଗୋଟିଏ ଲୋକପାଳ ଏବଂ ବାକି ଦୁଇଟି ବିଚାର ବିଭାଗୀୟ ଓ ଅଣବିଚାର ବିଭାଗୀୟ ଲୋକପାଳ ସଦସ୍ୟଙ୍କ ନିମନ୍ତେ ଉଦ୍ଦିଷ୍ଟ ବୋଲି ଆଟର୍ଣ୍ଣି ଜେନେରାଲ୍ ବେଣୁଗୋପାଳ କହିଛନ୍ତି।
ଯଥା ଶୀଘ୍ର ସମ୍ଭବ ଲୋକପାଳ ନିଯୁକ୍ତି ଲାଗି ଚୟନ କମିଟିର ବୈଠକ ଡକାଇବାକୁ ଆମେ ଡିପାର୍ଟମେଣ୍ଟ୍ ଅଫ୍ ପର୍ସୋନେଲ୍ ଆଣ୍ଡ୍ ଟେନିଙ୍ଗ୍ ସେକ୍ରେଟେରିଙ୍କୁ କହିବୁ ବୋଲି ସେ ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି।
ଲୋକପାଳର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ନାମ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ପ୍ରଶାନ୍ତ ଭୂଷଣ କରିଥିବା ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି।