୩ ମାସ ମଧ୍ୟରେ ସ୍କୁଲଗୁଡ଼ିକ ପାଇଁ ସୁରକ୍ଷା ନିୟମାବଳୀ ପ୍ରସ୍ତୁତ କର : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସ୍କୁଲ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଏହାକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ୩ ମାସ ମଧ୍ୟରେ ସ୍କୁଲମାନଙ୍କ ପାଇଁ ଏକ ସୁରକ୍ଷା ନିୟମାବଳୀ ପ୍ରଣୟନ କରିବାକୁ କୋର୍ଟ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲରେ ପଢୁଥିବା ଶିଶୁମାନଙ୍କୁ ହତ୍ୟା, ହିଂସା ଓ ଯୌନନିର୍ଯ୍ୟାତନା ଦାଉରୁ କିପରି ସୁରକ୍ଷା ଦିଆଯାଇପାରିବ ତାହାକୁ ନେଇ ଏହି ନିୟମାବଳୀ ପ୍ରସ୍ତୁତ କରାଯିବ । ଏହି ନିୟମାବଳୀ ସାରା ଦେଶରେ ଉଭୟ ଘରୋଇ ଓ ସରକାରୀ ସ୍କୁଲ ପାଇଁ ଲାଗୁ ହେବ ।

ଗତ ବର୍ଷ ଗୁରୁଗାଁଓର ର‍୍ୟାନ ଇଣ୍ଟରନାସନାଲ ସ୍କୁଲରେ ହୋଇଥିବା ଶିଶୁ ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ପରେ ତାହାର ପିତା ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ସ୍କୁଲ ଗୁଡ଼ିକରେ ସୁରକ୍ଷା ବଢାଇବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏହି ଆବେଦନରେ କୁହାଯାଇଥିଲା । ଏ ପ୍ରସଙ୍ଗରେ ଆଉ କେତେକ ପିଟିସନ ମଧ୍ୟ ଫାଇଲ ହୋଇଥିଲା । ଶିଶୁ ସୁରକ୍ଷା ନିୟମାବଳୀର ଉଲ୍ଲଙ୍ଘନ କଲେ ସଂପୃକ୍ତ ସ୍ତୁଲର ଲାଇସେନ୍ସ ରଦ୍ଦ କରାଯାଉ ବୋଲି ଏସବୁ ଆବେଦନକାରୀମାନେ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଏସବୁ ପିଟିସନର ମିଳିତ ଶୁଣାଣୀ କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର