ଆଧାର ବୈଧତା ନେଇ ଆଜି ରାୟ

ନୂଆଦିଲ୍ଲୀ: ଆଧାରର ସାମ୍ବିଧାନିକ ବୈଧତା ପ୍ରସଙ୍ଗରେ ବୁଧବାର ସୁପ୍ରିମ୍‌କୋର୍ଟ ନିଜର ଚୂଡ଼ାନ୍ତ ରାୟ ପ୍ରକାଶ କରିବେ। ଫଳରେ ଆଧାରକୁ ନେଇ ରହିଥିବା ସମସ୍ତ ଦ୍ୱନ୍ଦ୍ୱର ଅନ୍ତ ଘଟିବ। ଏହାକୁ ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ସ୍କିମ୍‌ରେ ବାଧ୍ୟତାମୂଳକ କରାଯିବ କି ନାହିଁ ସର୍ବୋଚ୍ଚ ଅଦାଲତ କାଲି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ଆଶା କରାଯାଉଛି। ୪୦ ଦିନର ମାରାଥନ୍‌ ଶୁଣାଣି ପରେ ଚଳିତବର୍ଷ ମେ ମାସରେ ଅଦାଲତଙ୍କ ସାମ୍ବିଧାନିକ ପୀଠ ଆଧାର ପ୍ରସଙ୍ଗରେ ନିଜ ରାୟ ସଂରକ୍ଷିତ ରଖିଥିଲେ।
ଉଲ୍ଲେଖଯୋଗ୍ୟ, ଆଧାରର ବୈଧତାକୁ ନେଇ ଅନେକ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଏମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି କେ ପୁଟ୍ଟାସ୍ୱାମୀ ମଧ୍ୟ ଅନ୍ତର୍ଭୁକ୍ତ। ସୁପ୍ରିମ୍‌କୋର୍ଟରେ ଏମାନେ ନିଜ ଯୁକ୍ତି ଦର୍ଶାଇ କହିଛନ୍ତି ଯେ ଆଧାର ବ୍ୟବସ୍ଥାରେ ଲୋକଙ୍କ ଗୋପନୀୟତା ଦିଗକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି। ଆଧାର ତଥ୍ୟ ଲିକ୍‌ ହେବା ନେଇ ନିୟମିତ ଭାବେ ଅନେକ ରିପୋର୍ଟ ମଧ୍ୟ ପ୍ରକାଶ ପାଉଥିବା କଥା ମଧ୍ୟ ସେମାନେ କହିଥିଲେ।
ଅପରପକ୍ଷରେ ସୁପ୍ରିମ୍‌କୋର୍ଟ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରି ନାହାନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ୧୧୮ କୋଟିରୁ ଅଧିକ ଲୋକଙ୍କ ନିକଟରେ ଆଧାର ପହଞ୍ଚିଥିବା ସରକାର ଅନେକ ସ୍କିମ୍‌ ପାଇଁ ଏହାକୁ ବାଧ୍ୟତାମୂଳକ କରିବା ପ୍ରକ୍ରିୟା ଶେଷ କରିସାରିଛନ୍ତି।

ସମ୍ବନ୍ଧିତ ଖବର