ଜାନୁଆରିକୁ ଘୁଞ୍ଚିଲା ଶୁଣାଣି:ଅଯୋଧ୍ୟାକୁ ନେଇ ଝଡ଼

ହିନ୍ଦୁଙ୍କ ଧୈର୍ଯ୍ୟ ଭାଙ୍ଗୁଛି: କେନ୍ଦ୍ରମନ୍ତ୍ରୀ ଗିରିରାଜ୍‌, ହିନ୍ଦୁଙ୍କ ଧୈର୍ଯ୍ୟ ଭାଙ୍ଗିନି: ତେଜସ୍ବୀ

ନୂଆ ଖଣ୍ଡପୀଠ ସ୍ଥିର କରିବେ ତାରିଖ
ଆଗୁଆ ଶୁଣାଣି ପାଇଁ ୟୁପି ସରକାରଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣିକୁ ସୋମବାର ସୁପ୍ରିମ୍‌ କୋର୍ଟ ଆସନ୍ତା ବର୍ଷ ଜାନୁଆରି ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦେଇଛନ୍ତି। ଜାନୁଆରିରେ ନୂଆ ଖଣ୍ଡପୀଠ ଗଠନ ହେବ। ନୂଆ ଖଣ୍ଡପୀଠ ହିଁ ଅଯୋଧ୍ୟା ମାମଲା ଶୁଣାଣି ପାଇଁ ତାରିଖ ପକ୍କା କରିବେ। ତେବେ ଏହି ଶୁଣାଣି ଜାନୁଆରି, ଫେବ୍ରୁଅାରି କିମ୍ବା ମାର୍ଚ୍ଚରେ ଆରମ୍ଭ ହୋଇପାରେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ କହିଛନ୍ତି। ଏଭଳି ପରିପ୍ରେକ୍ଷୀରେ ମାମଲାର ଆଗୁଆ ଶୁଣାଣି ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।
୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୟୁପି ସରକାର ଆଗୁଆ ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ଚାହୁଥି‌େଲ। ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ତୁଷ‌ାର ମେହଟ୍ଟା ଦୀପାବଳି ଛୁଟି ପରେ ମାମଲାର ଶୁଣାଣି ହେଉ ବୋଲି ଅନୁରୋଧ କରିଥିଲେ। ମେ‌ହଟ୍ଟାଙ୍କର ଏହି ଅନୁରୋଧକୁ ଟାଳିଦେଇ ଖଣ୍ଡପୀଠ କହିଥିଲେ, ସୁପ୍ରିମ୍‌ କୋର୍ଟର ମଧ୍ୟ କିଛି ପ୍ରାଥମିକତା ରହିଛି। ତେଣୁ ଅଯୋଧ୍ୟା ମାମଲା ଉପରେ ତ୍ବରିତ୍‌ ଶୁଣାଣି ସମ୍ଭବ ନୁହେଁ। ଆସନ୍ତା ବର୍ଷ ଜାନୁଆରିରେ ଉପଯୁକ୍ତ ନୂଆ ଖଣ୍ଡପୀଠ ତିଆରି ହେବ ଏବଂ ଏହି ଖଣ୍ଡପୀଠ ହିଁ ଶୁଣାଣି ତାରିଖ ଚୂଡ଼ାନ୍ତ କରିବେ। ପ୍ରତିଦିନ ଶୁଣାଣି ହେବ କି ନିର୍ଦ୍ଦିଷ୍ଟ ବ୍ୟବଧାନରେ ଶୁଣାଣି ହେବ, ତାହା ନେଇ ମଧ୍ୟ ଏହି ଖଣ୍ଡପୀଠ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ।
‌େସପ୍ଟେମ୍ବର ୨୭ରେ ଅଯୋଧ୍ୟା ଜମି ମାମଲାରେ ସୁପ୍ରିମ୍ କୋର୍ଟ ପୂର୍ବ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଖଣ୍ଡପୀଠ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ। ମସ୍‌ଜିଦ୍ ଇସ୍‌ଲାମ୍‌ର ଅବିଚ୍ଛେଦ୍ୟ ଅଂଶ ନୁହେଁ ବୋଲି ୧୯୯୪ରେ ସୁପ୍ରିମ୍ କୋର୍ଟ ଯେଉଁ ରାୟ ଦେଇଥି‌େଲ ତାହାର ପୁନର୍ବିଚାର ନ କରିବାକୁ ଖଣ୍ଡପୀଠ କହିଥିଲେ।
ସୋମବାର ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗୋଇ, ଜଷ୍ଟିସ୍‌ ସଞ୍ଜୟ କିଶନ୍‌ କୌଲ ଏବଂ କେ ଏମ୍‌ ଯୋଶେଫଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆହ୍ଲାବାଦ ହାଇକୋର୍ଟଙ୍କ ୨୦୧୦ ରାୟକୁ ଚାଲେଞ୍ଜ୍ କରାଯାଇ ହୋଇଥିବା କିଛି ଆବେଦନର ବିଚାର କରିଥିଲେ। ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତିରେ ଦୁଃଖପ୍ରକାଶ କରି ସନ୍ଥ ଧର୍ମାନନ୍ଦ କହିଛନ୍ତି, ଏହା ଠିକ୍‌ ହେଲାନାହିଁ। ଲୋକସଭା ନିର୍ବାଚନ ଦୃଷ୍ଟିରୁ ଶୁଣାଣି ଘୁଞ୍ଚିବା ଉଚିତ ନଥିଲା। ଏବେ ଆମକୁ ପୁଣି ଜାନୁଆରିକୁ ଅପେକ୍ଷା କରିବାକୁ ପଡ଼ିବ। ଆମେ କୌଣସି ଆନ୍ଦୋଳନ କରିବାକୁ ଚାହୁନାହୁଁ। ବରଂ ଶୀଘ୍ର ଏହି ଅଯୋଧ୍ୟା ଜମି ବିବାଦ ଫଏସଲା ହେଉ ବୋଲି ଆମେ ଚାହୁଛୁ। ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ଏହା ସୁପ୍ରିମ୍‌ କୋର୍ଟଙ୍କ ନିର୍ଣ୍ଣୟ। ତେଣୁ ଏହା ଉପରେ ମୁଁ କୌଣସି ଟିପ୍ପଣୀ ଦେବାକୁ ଚାହୁନାହିଁ।ନୂଆଦିଲ୍ଲୀ,୨୯/୧୦: ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟ ଆଜି ଶୁଣାଣିକୁ ୨୦୧୯ ଜାନୁଆରିକୁ ଘୁଞ୍ଚାଇଦେବା ପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ ଆଜି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ଅଯୋଧ୍ୟା ବୟାନକୁ କଠୋର ନିନ୍ଦା କରିଛନ୍ତି।
ଗିରିରାଜ୍‌ କହିଥି‌େ‌ଲ, ଏବେ ରାମ ମନ୍ଦିରକୁ ନେଇ ହିନ୍ଦୁମାନଙ୍କ ଧୈର୍ଯ୍ୟ ଭାଙ୍ଗୁଛି। ଯଦି ହିନ୍ଦୁମାନଙ୍କର ଧୈର୍ଯ୍ୟ ଭାଙ୍ଗିଯାଏ, ତା’ହେଲେ କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାପରେ ଆର୍‌ଜେଡି ନେତା ତେଜସ୍ବୀ ଯାଦବ ତାଙ୍କୁ ସମାଲୋଚନା କରି କହିଛନ୍ତି, ହିନ୍ଦୁମାନଙ୍କର ଧୈର୍ଯ୍ୟ ଭାଙ୍ଗିନାହିଁ। ଆମେ ବି ହିନ୍ଦୁ ଏବଂ ଆମେ ସୁପ୍ରିମ୍‌ କୋର୍ଟଙ୍କ ଚୂଡ଼ାନ୍ତ ରାୟକୁ ଅପେକ୍ଷା କରିଛୁ। ନିର୍ବାଚନ ପୂର୍ବରୁ ଏଭଳି କୁମ୍ଭୀର କାନ୍ଦଣା କାନ୍ଦିବା ଠିକ୍‌ ନୁହେଁ।
ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସଦୁଦ୍ଦିନ୍‌ ଅୱେସି କହିଛନ୍ତି, କୋର୍ଟ ଯେଉଁ ନିର୍ଣ୍ଣୟ ନେଇଛନ୍ତି, ତାହାକୁ ପାଳନ କରିବାକୁ ପଡ଼ିବ। ତେବେ ଗିରିରାଜ ଯେଉଁ ବୟାନ ଦେଇଛନ୍ତି, ତାହା ଦୁର୍ଭାଗ୍ୟଜନକ। ତାଙ୍କୁ ଦଳ କୋର୍ଟରେ ଠିଆ କରିଦେବା ଉଚିତ। ଯଦି ୫୬ ଇଞ୍ଚର ଛାତି ଅଛି, ତା’ହେଲେ ସରକାର ଅଧ୍ୟାଦେଶ ଆଣି ଦେଖାନ୍ତୁ। ପ୍ରସଙ୍ଗକୁ ହିନ୍ଦୁ-ମୁସ୍‌ଲିମ୍‌‌ରେ ପରିଣତ ନ କରିବାକୁ ସେ ଅନୁରୋଧ କରିଛନ୍ତି।
କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ କହିଛନ୍ତି, ପ୍ରତି ପାଞ୍ଚବର୍ଷରେ ନିର୍ବାଚନ ପୂର୍ବରୁ ‌ବିଜେପି ରାମ ମନ୍ଦିର ପ୍ରସଙ୍ଗକୁ ଉଠାଉଛି। ଏହା ତାହାର ଏକ ଅଭ୍ୟାସରେ ପରିଣତ ହୋଇଛି। ତେବେ ମାମଲା ଏବେ ସୁପ୍ରିମ୍‌ କୋର୍ଟରେ ଅଛି। ତେଣୁ ସୁପ୍ରିମ୍‌ କୋର୍ଟଙ୍କ ନି‌ଷ୍ପତ୍ତିକୁ ଅପେକ୍ଷା କରିବାକୁ ହେବ।
ବିଜେପି ନେତା ବିନୟ କଟିୟାର କହିଛନ୍ତି, ଧୈର୍ଯ୍ୟର ଗୋଟିଏ ସୀମା ରହିଛି। ସବୁଦିନ ଶୁଣାଣି ହେବାର ଥିଲା। କିନ୍ତୁ ଏହାକୁ ଘୁଞ୍ଚାଇ ଦିଆଗଲା। ଏଣିକି ସାଧୁସନ୍ଥମାନଙ୍କ ସହିତ ବସି ରଣନୀତି ତିଆରି କରିବାକୁ ପଡ଼ିବ। ଉଦ୍ୟମ ଜାରି ରହିବ। ତେବେ ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣ ହେବା ସମ୍ଭବ ମନେହେଉ ନାହିଁ ବୋଲି କଟିୟାର କହିଛନ୍ତି।

 

ସମ୍ବନ୍ଧିତ ଖବର