ଖସିଲା ବି‌ଜେପି ଭୋଟ୍‌ ହାର:ଆପ୍‌, ଏସ୍‌ପି, ଏନ୍‌ସିପି ଦଶା ଖରାପ

ନୋଟା ଭୋଟ୍‌ରୁ ପଛରେ ପଡ଼ିଲେ

ନୂଆଦିଲ୍ଲୀ: ପ୍ରମୁଖ ୩ଟି ଯଥା ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିକୁ ଝଟ୍‌କା ଲାଗିଛି। ଏହି ୩ଟି ରାଜ୍ୟରେ ଦଳର ଭୋଟ୍‌ ହାର ଅନେକାଂଶରେ ହ୍ରାସ ପାଇଛି। ଆଜିର ଫଳାଫଳ ପରେ ମିଳିଥିବା ସଦ୍ୟତମ ରିପୋର୍ଟ ମୁତାବକ, ଛତିଶଗଡ଼ରେ କଂଗ୍ରେସ ୪୩.୨ ପ୍ରତିଶତ ଭୋଟ୍‌ ପାଇଛି। ୨୦୧୩ ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ୨୦୧୪ ସାଧାରଣ ନିର୍ବାଚନ ତୁଳନା‌ରେ ଏହା ଯଥାକ୍ରମେ ୪୦.୩ ପ୍ରତିଶତ ଓ ୩୮.୩୭ ପ୍ରତିଶତ ଅଧିକ। ଅନ୍ୟପକ୍ଷରେ ୨୦୧୩ରେ ବିଜେପିକୁ ୪୧ ପ୍ରତିଶତ ଭୋଟ୍‌ ମିଳିଥିବା ବେଳେ ଏବେ ଏହା ୩୨.୯ ପ୍ରତିଶତକୁ ହ୍ରାସ ପାଇଛି। ୨୦୧୪ ସାଧାରଣ ନିର୍ବାଚନ‌ରେ ଦଳ ୪୯ ପ୍ରତିଶତ ଭୋଟ୍‌ ହାତେଇଥିଲା। ତେବେ ରାଜ୍ୟରେ ବିଜେପିର ଭୋଟ୍‌ ସେୟାର ଛଡ଼ାଇନେବାରେ କଂଗ୍ରେସ ଏକମାତ୍ର ଦଳ ନୁହେଁ। ସ୍ବାଧୀନ ଓ ଅନ୍ୟ କ୍ଷୁଦ୍ର ଦଳଗୁଡ଼ିକର ଭୋଟ୍‌ ସେୟାର ମଧ୍ୟ ବୃଦ୍ଧି ପାଇଛି।
ରାଜସ୍ଥାନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏଠାରେ ୨୦୧୩ରେ ବିଜେପିକୁ ୪୫.୨ ପ୍ରତିଶତ ଭୋଟ୍‌ ମିଳିଥିବା ବେଳେ ଏବେ ଏହା ୩୮.୮ ପ୍ରତିଶତକୁ ଖସିଆସିଛି। ୨୦୧୪ରେ ଏହା ୫୫ ପ୍ରତିଶତ ରହିଥିଲା, ଯେବେ ରାଜ୍ୟର ସମସ୍ତ ୨୫ ଲୋକସଭା ଆସନକୁ ବିଜେପି କବ୍‌ଜା କରିନେଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ଏହାର ଭୋଟ୍‌ ସେୟାର ବଢ଼ାଇବାରେ ସମର୍ଥ ହୋଇଛି। ରାଜ୍ୟରେ ଦଳର ଭୋଟ୍‌ ସେୟାର ୨୦୧୩ର ୩୩.୧ ପ୍ରତିଶତ ତୁଳନାରେ ୨୦୧୮ରେ ୩୯.୨ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ସଂସଦୀୟ ନିର୍ବାଚନରେ ରାଜ୍ୟରେ ସମସ୍ତ ଆସନ ହରାଇବା ସତ୍ତ୍ବେ ଦଳ ପ୍ରାୟ ୩୦ ପ୍ରତିଶତ ଭୋଟ୍‌ ଅକ୍ତିଆର କରିଥିଲା। ସେହିଭଳି ସ୍ବାଧୀନ ପ୍ରାର୍ଥୀମାନଙ୍କ ଭୋଟ୍‌ ସେୟାର ୮.୨ ପ୍ରତିଶତରୁ ୯.୫ ପ୍ରତିଶତକୁ ବୃଦ୍ଧି ପାଇଛି।
ମଧ୍ୟ ପ୍ରଦେଶରେ ମଧ୍ୟ ବିଜେପିକୁ ସମାନ ଧରଣର ଝଟ୍‌କା ଲାଗିଛି। ରାଜ୍ୟରେ ବିଜେପିର ଭୋଟ୍‌ ସେୟାର ୪୧.୩ ପ୍ରତିଶତରୁ ୪୪.୯ ପ୍ରତିଶତକୁ ବୃଦ୍ଧି ପାଇଛି। କିନ୍ତୁ କଂଗ୍ରେସର ଭୋଟ୍‌ ସେୟାର ୨୦୧୩ର ୩୬.୪ ପ୍ରତିଶତ ତୁଳନାରେ ୨୦୧୮ରେ ୪୧.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଏଠାର‌େ ବିଏସ୍‌ପିର ସେୟାର ମଧ୍ୟ ୪.୬ ପ୍ରତିଶତକୁ ହ୍ରାସ ପାଇଛି। ତେଲେଙ୍ଗାନାରେ ଟିଆର୍‌ଏସ୍‌ର ଭୋଟ୍‌ ସେୟାର ୩୪%ରୁ ୪୭%କୁ ବୃଦ୍ଧି ପାଇଥିବା ବେଳେ କଂଗ୍ରେସର ଏହା ୨୫.୨%ରୁ ୨୮.୭%କୁ ବୃଦ୍ଧି ପାଇଛି। ମି‌ଜୋରାମ୍‌ରେ କଂଗ୍ରେସ ଭୋ‌ଟ୍‌ ସେୟାର ୪୫%ରୁ ୩୦%କୁ ହ୍ରାସ ପାଇଥିବା ବେଳେ ଏମ୍‌ଏନ୍‌ଏଫ୍‌ର ଏହା ୨୮.୮%ରୁ ୩୭.୬%କୁ ବୃଦ୍ଧି ପାଇଛି। କଂଗ୍ରେସ ଆସନ ଏଠାରେ ୩୪ରୁ ୫କୁ ହ୍ରାସ ପାଇଛି।

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ ଏଥର ଆମ୍‌ ଆଦ୍‌ମି ପାର୍ଟି (ଆପ୍‌), ସମାଜବାଦ ପାର୍ଟି (ଏସ୍‌ପି) ଏବଂ ଏନ୍‌ସିପି ଦଶା ଅତ୍ୟନ୍ତ ଖରାପ ରହିଛି। ଦଳର ପ୍ରାର୍ଥୀମାନେ ଅତି ଦୟନୀୟ ଭାବେ ପରାଜୟ ବରଣ କରିଛନ୍ତି। ଏହି ଦଳଗୁଡ଼ିକୁ ଯେତିକି ଭୋଟ୍‌ ମିଳିଛି, ତାହାଠାରୁ ଅଧିକ ନୋଟା (ନୋନ୍‌ ଅଫ୍‌ ଦି ଏବଭ୍‌) ଦିଗରେ ମିଳିଥିବା ଦେଖିବାକୁ ମିଳିଛି।
ନିର୍ବାଚନ କମିସନ୍‌ ୱେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ମୁତାବକ ‌ନୋଟା ଭୋଟ୍‌ ଏଥର ୦.୫ ପ୍ରତିଶତରୁ (ମିଜୋରାମ୍‌) ୨.୧ ପ୍ରତିଶତ (ଛତିଶଗଡ଼) ରେଞ୍ଜ୍‌ ମଧ୍ୟରେ ରହିଛି। ଛତିଶଗଡ଼ରେ ଆପ୍‌ ୯୦ ଆସନ ମଧ୍ୟରୁ ୮୫ଟିରେ ନିଜ ପ୍ରାର୍ଥୀ ଦେଇଥିବା ବେଳେ ଏମାନଙ୍କୁ ମୋଟ ୦.୯% ଭୋଟ୍‌ ମିଳିଛି। ଏଠାରେ ନୋଟାକୁ ୨.୧ ପ୍ରତିଶତ ଭୋଟ୍‌ ମିଳିଛି। ସେହିପରି ରାଜ୍ୟରେ ଏସ୍‌ପି ଓ ଏନ୍‌ସିପି (ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି)କୁ ଯଥାକ୍ରମେ ୦.୨% ଓ ୦.୪% ଭୋଟ୍‌ ମିଳିଛି। ମଧ୍ୟ ପ୍ରଦେଶରେ ନୋଟା ଭୋଟ୍‌ ମୋଟ୍‌ ଭୋଟ୍‌ର ୧.୫% ହୋଇଥିବା ବେଳେ ଏସ୍‌ପିକୁ ୧% ଓ ଆପ୍‌କୁ ୦.୭% ଭୋଟ୍‌ ମିଳିଛି।
ରାଜସ୍ଥାନରେ ନୋଟା ଭୋଟ୍‌ ୧.୩% ହୋଇଥିବା ବେଳେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ମାର୍କ୍ସିଷ୍ଟ) ଓ ଏସ୍‌ପି ଯଥାକ୍ରମେ ୧.୩% ଓ ୦.୨% ଭୋଟ୍‌ ହାସଲ କରିଛନ୍ତି। ଏଠାରେ ଆପ୍‌ ଓ ରାଷ୍ଟ୍ରୀୟ ଲୋକ ଦଳ ୦.୪% ଭୋଟ୍‌ ପାଇଛନ୍ତି। ସେହିଭଳି ତେଲେଙ୍ଗାନାରେ ନୋଟା ଭୋଟ୍‌ ୧.୧% ଥିଲା ବେଳେ ଏନ୍‌ସିପିକୁ ୦.୨% ଭୋଟ୍‌ ମିଳିଛି। ସିପିଆଇ (ଏମ୍‌) ୦.୪% ଓ ସିପିଆଇ ୦.୪% ଭୋଟ୍‌ ପାଇଛି। ମିଜୋରାମ୍‌ରେ ନୋଟା ଭୋଟ୍‌ ୦.୫% ରହିଥିଲା ବେଳେ ପିଆର୍‌ଆଇଏସ୍‌ଏମ୍‌ ୦.୨% ହାସଲ କରିଛି।

ସମ୍ବନ୍ଧିତ ଖବର