ବିରୋଧୀ ଦଳଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଜବାବ

କାହା ଚାପରେ ତଥ୍ୟ ସାର୍ବଜନୀନ କରିବୁ ନାହିଁ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ନିର୍ମାତା ଡାସଲ୍ଟ ଏଭିଏସନ ସହ ଚୁକ୍ତି ବାବଦ ସବି‌ଶେଷ ତଥ୍ୟ ଏବଂ ଅଫ୍‌ସେଟ ପାର୍ଟନର ସଂପର୍କିତ ତଥ୍ୟ କୌଣସି ସ୍ଥିତିରେ ବି ସାର୍ବଜନୀନ କରାଯିବ ନାହିଁ ଏବଂ ଏଥିପାଇଁ ଡାସଲ୍‌ଟ ଉପରେ ମଧ୍ୟ ଆଦୌ ଚାପ ସୃଷ୍ଟି କରାଯିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। କେବଳ ବିରୋଧୀ ଦଳ ରାଜନୈତିକ ସ୍ବାର୍ଥ ପାଇଁ କରୁଥିବା ଦାବି ଆଗରେ ସରକାର ନଇଁବେ ନାହିଁ ବୋଲି ସେ କହିଛନ୍ତି। ରାଫେଲ ଯୁଦ୍ଧ ବିମାନରେ ସଂଯୋଗ ହୋଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ନାଭିଗେସନ ସିଷ୍ଟମ ଏବଂ ବିମାନର ସୁରକ୍ଷା ବ୍ୟବସ୍ଥା ସଂପର୍କରେ ତଥ୍ୟ ସାର୍ବଜନୀନ କରିବା ପାଇଁ ହେଉଥିବା ଦାବିକୁ କଦାପି ଗ୍ରହଣ କରାଯିବ ନାହିଁ ଏବଂ ଏଭଳି ପଦକ୍ଷେପ ଦେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ବୋଲି ନିର୍ମଳା କହିଛନ୍ତି। କଂଗ୍ରେସ ବେପରୁଆ ଏବଂ ଭିତ୍ତିହୀନ ଭାବେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣୁଛି। କିନ୍ତୁ ଏହି ଦଳ କିଛି ବି ସାବ୍ୟସ୍ତ କରିପାରୁ ନଥିବାରୁ ଏବେ କେବଳ ବିଭ୍ରାନ୍ତି ସୃଷ୍ଟି ପାଇଁ ପ୍ରୟାସ ଚଳାଇଛି ବୋଲି ନିର୍ମଳା କହିଛନ୍ତି। ଗତ ସପ୍ତାହରେ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ କହିଥିଲେ ଭାରତୀୟ ଅଫ୍‌ସେଟ ପାର୍ଟନର ଚୟନ କରିବାର ଅଧିକାର ଡାସଲ୍‌ଟର ରହିଛି ଏବଂ ଏହି ପ୍ରକ୍ରିୟାରେ କୌଣସି ଭୁଲ୍‌ ନାହିଁ।

ସମ୍ବନ୍ଧିତ ଖବର