ନୂଆଦିଲ୍ଲୀ: କାରୋଲ୍‌ ବାଗ୍‌ ହୋଟେଲ୍‌ରେ ଅଗ୍ନିକାଣ୍ଡ; ୧୭ ମୃତ

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରତ୍ୟୁଷରେ କାରୋଲ ବାଗ୍‌ ଅଞ୍ଚଳରେ ଥିବା ହୋଟେଲ୍‌ ଅର୍ପିତ ପାଲେସ୍‌ରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ୧୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ସରକାରୀ ସୂତ୍ରରୁ ମୃତ୍ୟୁସଂଖ୍ୟା ବିଷୟରେ କିଛି ନିଶ୍ଚିତ କରା ଯାଇ ନ ଥିଲେ ବି ଆର୍‌ଏମ୍‌ଏଲ୍‌ ହସ୍‌ପିଟାଲ୍‌ ସୂତ୍ରରୁ ମୃତ୍ୟୁସଂଖ୍ୟା ୧୭ ବୋଲି ଜଣାପଡ଼ିଛି।

ଏଥିରେ ଆହତ ହୋଇଥିବା ଲୋକଙ୍କ ସଂଖ୍ୟା ଠିକ୍‌ ଭାବେ ଜଣାପଡ଼ି ନାହିଁ।

ଦୀର୍ଘ ଚାରି ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଦମକଳ ଓ ପୁଲିସ କର୍ମଚାରୀମାନେ ପ୍ରାୟ ୫୦ ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି। ସାଙ୍ଘାତିକ ଆହତ ହୋଇଥିବା ଦୁଇ ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାୟ ୩୫ ଜଣ ଲୋକଙ୍କୁ ନିରାପଦରେ ହୋଟେଲ୍‌ରୁ ଉଦ୍ଧାର କରାଯାଇଛି।

ନିଆଁ ଲାଗିବା କାରଣରୁ ସାତ ଜଣ ପୁରୁଷ, ଜଣେ ମହିଳା ଓ ଗୋଟାଏ ପିଲାର ମୃତ୍ୟୁ ଘଟିଥିବା କଥା ପ୍ରଥମେ ଦମକଳବାହିନୀ କହିଥିଲା।

ସେ ହୋଟେଲ୍‌ରେ କେରଳର ଗୋଟିଏ ପରିବାରର ଦଶ ଜଣ ସଦସ୍ୟ ରହୁଥିଲେ। ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିରୁଦ୍ଦେଶ ହୋଇଥିବା ତିନି ଜଣ ନିଆଁ ଘେରରେ ଅଟକି ରହିଥିବା ଆଶଙ୍କା ହେଉଛି।

ସର୍ଟ ସର୍କିଟ୍‌ କାରଣରୁ ଭୋର୍‌ ପ୍ରାୟ ୪:୩୦ରେ ନିଆଁ ଜଳିଥିବା କଥା ସରକାରୀ କର୍ତ୍ତୃପକ୍ଷ କହୁଛନ୍ତି। ସକାଳ ୭ଟା ଯାଏଁ ୪୦ କୋଠରିବିଶିଷ୍ଟ ହୋଟେଲ୍‌ରୁ ବହଳ ଧୂଆଁ ଓ ପ୍ରକାଣ୍ଡ ଅଗ୍ନିଶିଖା ଉଠୁଥିବା ଦେଖା ଯାଇଥିଲା।

ଘଟନାସ୍ଥଳକୁ ତୁରନ୍ତ ୩୦ଟି ଦମକଳ ଗାଡ଼ି ଯାଇଥିଲେ।

ସମ୍ବନ୍ଧିତ ଖବର