ଏମ୍ସ ଅଗ୍ନିକାଣ୍ଡ: ଦେବଦୂତ ସାଜିଲେ ଓଡ଼ିଆ ଡାକ୍ତର

ନୂଆଦିଲ୍ଲୀ : ଗତ ଶନିବାର ଦିନ ଦିଲ୍ଲୀ ଏମ୍ସରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ଅଗ୍ନିକାଣ୍ଡ ସମୟରେ ଏମ୍ସର ଡାକ୍ତରମାନେ ଯେଉଁଭଳି ଭାବେ ଏମ୍ସର ରାଜେନ୍ଦ୍ର ପ୍ରସାଦ ଚକ୍ଷୁକେନ୍ଦ୍ରରେ ଦୁଇଜଣ ନବଜାତ ଶିଶୁଙ୍କୁ ଜନ୍ମ କରାଇଥିଲେ ସେଥିରେ ଜଣେ ଓଡ଼ିଆ ଡାକ୍ତରଙ୍କ ଭୂମିକା ସାରା ଏମ୍ସରେ ଚର୍ଚ୍ଚାର ବିଷୟ ପାଲଟିଛି। ଏମ୍ସରେ ଅଗ୍ନିକାଣ୍ଡ ଘଟିବା ସମୟରେ ଚିକିତ୍ସିତ ହେଉଥିବା ପ୍ରସୂତି ଓ ଶିଶୁ ବିଭାଗର ରୋଗୀମାନଙ୍କୁ ଜରୁରୀକାଳୀନ ସ୍ଥିତିରେ ନିକଟରେ ଥିବା ରାଜେନ୍ଦ୍ର ପ୍ରସାଦ ଚକ୍ଷୁ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ସେହି ସମୟରେ ନିଜର ଡ୍ୟୁଟି ଶେଷ କରି ରାଜେନ୍ଦ୍ର ପ୍ରସାଦ ଚକ୍ଷୁ କେନ୍ଦ୍ରର ଡାକ୍ତରମାନେ ଫେରିଯାଇଥିଲେ। ହେଲେ ଅଗ୍ନିକାଣ୍ଡ ସମ୍ପର୍କରେ ହ୍ବାଟ୍ସଆପ୍‌ ଗ୍ରୁପ୍‌ରୁ ନିଜ ସହଯୋଗୀ ଡାକ୍ତରମାନଙ୍କ ଠାରୁ ସୂଚନା ପାଇବା ପରେ ରାଜେନ୍ଦ୍ର ପ୍ରସାଦ ଚକ୍ଷୁ କେନ୍ଦ୍ରରେ ଓଡ଼ିଆ ଡାକ୍ତର ଗୋଟିଏ ସେକେଣ୍ଡ୍‌ ମଧ୍ୟ ସମୟ ନଷ୍ଟ ନକରି ହଷ୍ଟେଲରୁ ସହଯୋଗୀ ଡାକ୍ତର ଐଶ୍ବର୍ଯ୍ୟା, ଡା ଗୌରୀ ଓ ଡା ପ୍ରଣିତାଙ୍କୁ ନେଇ ରା‌େଜନ୍ଦ୍ର ପ୍ରସାଦ ଚକ୍ଷୁ କେନ୍ଦ୍ରରେ ପହଞ୍ଚିଥିଲେ। ଚକ୍ଷୁ କାଜୁଆଲ୍ଟି ଵାର୍ଡରେ ଦୁଇ ମହିଳାଙ୍କର ହଠାତ୍ ଲେବର ପେନ୍ ହୋଇଥିଲା। ଏମିତି ଏକ ସମୟରେ ଡାକ୍ତର ଅଶ୍ବିନୀ ବେହେରା ନିଜର ବିଭାଗୀୟ ମୁଖ୍ୟଙ୍କ ସହିତ ବିଚାରବିମର୍ଶ କରିଥିଲେ। ଚକ୍ଷୁ ବିଭାଗର ଓପିଡିରେ ନିୟୋଜିତ ହୋଇଥିବା ନର୍ସମାନଙ୍କର ଡେଲିଭରି ସଂକ୍ରାନ୍ତରେ ବିଶେଷ ଜ୍ଞାନ ନଥିବାରୁ ବିଭାଗୀୟ ମୁଖ୍ୟଙ୍କ ପରାମର୍ଶ କ୍ରମେ ତଥା ଉତ୍ତମ ବୁଝାମଣା ଜରିଆରେ ଡାକ୍ତର ଅଶ୍ବିନୀ ପ୍ରସୂତି ବିଭାଗର ଡାକ୍ତରଙ୍କ ସହିତ ଯୋଗାଯୋଗ କଲେ। ୫ମ ମହଲାରେ ଚକ୍ଷୁ ଅସ୍ତ୍ରୋପଚାର ଥିଏଟରରେ ପ୍ରଥମ ଥର ପାଇଁ ୫୩ ବର୍ଷରେ ପ୍ରସୂତି ବିଭାଗର ମହିଳା ଡାକ୍ତର ଓ ନର୍ସମାନେ ଦୁଇ ମହିଳାଙ୍କ ଡେଲିଭରି କରାଇଥିଲେ। ଏନେଇ ଚିକିତ୍ସିତ ରୋଗୀମାନେ ଡାକ୍ତର ଅଶ୍ବିନୀ କୁମାର ବେହେରା ଓ ତାଙ୍କ ଟିମ୍‌କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।। ଡାକ୍ତର ଅଶ୍ବିନୀ କୁମାର ବେହେରା ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ସେ ତାଙ୍କ କର୍ତ୍ତବ୍ୟ ପାଳନ କରିଛନ୍ତି। ଏପରିକି ପାତ୍ରପୁର ଚିକିଟିରେ ତାଙ୍କ ଜେଜେବାପା ନାଥ ବେହେରାଙ୍କ ମୃତ୍ୟୁର ଖବର ପାଇ ସେ ଓଡ଼ିଶା ଯିବାର କେଉଁ କାର୍ଯ୍ୟକ୍ରମ ସ୍ଥିର କରିଥିଲେ ତାହାକୁ ସେ ବାତିଲ କରିଦେଇଥିଲେ। ମାନବ ସେବା ହିଁ ମାଧବ ସେବା ଏବଂ ଏଥିରେ ସେ ବିଶ୍ବାସ କରନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର