ଦିଲ୍ଲୀ ଦଙ୍ଗା: ‘ଘୃଣା’ ଭାଷଣ ଦେଇଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କୁ ଅଧିକ ସମୟ ମାଗିଲେ କେନ୍ଦ୍ର ସରକାର ଓ ପୁଲିସ

ନୂଆଦିଲ୍ଲୀ: ‘ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ’ ଭାଷଣ ଦେଇ ଦିଲ୍ଲୀ ଦଙ୍ଗାକୁ ଉଗ୍ର କରିଥିବା ରାଜନେତାମାନଙ୍କ ବିରୋଧରେ ବିଧିବଦ୍ଧ ଏତଲା ଆଗତ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ଆଉ କିଛି ଦିନର ସମୟ ଦେବାକୁ ଆଜି ଉଭୟ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ୍‌ ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହ ଆରମ୍ଭରୁ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ହିଂସା ଦଙ୍ଗାର ରୂପ ନେଇଛି। ଆଉ ଏଥିରେ ବର୍ତ୍ତମାନ ସୁଦ୍ଧା ୩୫ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇସାରିଲେଣି।

News Nation

ତେବେ, ଗତ ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟର ଏକ ଖଣ୍ଡପୀଠ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ହିଂସାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିସହ ଦିଲ୍ଲୀର ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ଦିଲ୍ଲୀ ପୁଲିସ ଅସମର୍ଥ ହୋଇଥିବାରୁ ନିଜର ତୀବ୍ର ଅସନ୍ତୋଷ ଜାହିର କରିଥିଲେ। ବିଚାରପତିମାନେ କୋର୍ଟରୁମ୍‌ରେ ଏକ ଭିଡିଓ ପୁଲିସ୍‌କୁ ଦେଖାଇଥିଲେ, ଯେଉଁଥିରେ ବିଜେପି ନେତା କପିଲ ମିଶ୍ର, ଅନୁରାଗ ଠାକୁର, ଅଭୟ ବର୍ମା ଓ ପ୍ରଭେଶ ବର୍ମା ପ୍ରମୁଖ ‘ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ’ ଭାଷଣ ଦେଇ ଦିଲ୍ଲୀ ଦଙ୍ଗାକୁ ଉସ୍‌କାଉ ଥିବା ଦେଖିବାକୁ ମିଳିଥିଲା। ହେଲେ, ଦିଲ୍ଲୀ ପୁଲିସ ଏମାନଙ୍କ ବିରୋଧରେ ଏତଲା କରି ନଥିଲା। ଏକଥା ଜାଣିବା ପରେ କୋର୍ଟ ‘ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ’ ଭାଷଣ ଦେଇ ଦିଲ୍ଲୀ ଦଙ୍ଗାକୁ ଉସ୍‌କାଉ ଥିବା ସମସ୍ତ ରାଜନେତାଙ୍କ ବିରୋଧରେ ଅବିଳମ୍ବେ ମାମଲା ରୁଜ୍ଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର