ଦିଲ୍ଲୀ ସ୍ଥିତି ଉଦ୍‌ବେଗଜନକ

Oଶ୍ବାସ ନେବା କଷ୍ଟକର ହୋଇପଡ଼ୁଛି O ସୁପ୍ରିମ୍‌ କୋର୍ଟ ଆଦେଶକୁ ‌ବେଖାତିର

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣଜନିତ ସଙ୍କଟ ଜଟିଳ ରୂପ ନେଇଛି। ଏଠାରେ ଶ୍ବାସ ପ୍ରଶ୍ବାସ ନେବା କଷ୍ଟକର ହୋଇପଡ଼ିଥିବା ବେଳେ ସୁପ୍ରିମ୍‌ କୋର୍ଟଙ୍କ ଆଦେଶକୁ ‌ବେଖାତିର କରି ଦିଲ୍ଲୀବାସୀ ପ୍ରବଳ ବାଣ ଫୁଟାଇଛନ୍ତି। ଫଳରେ ବାୟୁର ମାନ ଅଧିକରୁ ଅଧିକ ଖରାପ ହୋଇଛି। ଆଜି ସକାଳୁ ସମଗ୍ର ସହର କୁହୁଡ଼ିର ଆସ୍ତରଣ ତଳେ ରହିଥିଲା ଏବଂ ଲୋକଙ୍କୁ ଶ୍ବାସ ନେବାରେ ମଧ୍ୟ କଷ୍ଟ ହୋଇଥିଲା। ପ୍ରାତଃ ଭ୍ରମଣ ପାଇଁ ଖୁବ୍‌ କମ୍‌ ଲୋକ ରାସ୍ତାକୁ ବାହାରିଥିବା ବେଳେ ଅନେକ ବ୍ୟକ୍ତି ସେମାନଙ୍କ ଆଖିରେ ଜଳାପୋଡ଼ା ହେଉଥିବା କହିଥିଲେ। ଦିଲ୍ଲୀର ଲୋଧି ରୋଡ ସ୍ଥିତ ପଲ୍ୟୁସନ ମନିଟରିଂ ଷ୍ଟେସନରେ ଆଜି ସକାଳେ ପିଏମ୍‌-୨.୫ ଏବଂ ପିଏମ୍‌-୧୦ର ସ୍ତର ୫୦୦ ମାଇକ୍ରୋ କ୍ୟୁବିକ୍‌ ରହିଥିଲା। ଏହା ବିପଜ୍ଜନକ ସ୍ଥିତିକୁ ଦର୍ଶାଉଥିବା ବେଳେ କୋର୍ଟ ନିର୍ଦ୍ଦେଶକୁ ସଂପୂର୍ଣ୍ଣ ବେଖାତିର କରାଯିବା ମଧ୍ୟ ଉଦ୍‌ବେଗର କାରଣ ହୋଇଛି। ପ୍ରଦୂଷଣ ରୋକିବାକୁ ଆଜିଠାରୁ ଦିଲ୍ଲୀରେ ଟ୍ରକ୍‌ ଚଳାଚଳରେ ମଧ୍ୟ କେତେକ କଟକଣା ଲଗାଯାଇଛି।
ପ୍ରଦୂଷଣ ରୋକିବା ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷ ଏବଂ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ଘୋଷଣା କରିଛନ୍ତି। ଏଥିପାଇଁ ଆଜିଠାରୁ ପ୍ରାୟ ୨୦ଟି ସ୍ବତନ୍ତ୍ର ସ୍କ୍ବାଡ କାମ ଆରମ୍ଭ କରିଛି। ପ୍ରଦୂଷଣ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରଦୂଷଣକୁ ନେଇ ଯେଉଁ ନିର୍ଦ୍ଦେଶନାମା ଜାରି ହୋଇଛି ତାହାର ଉଲ୍ଲଂଘନ କରୁଥିବା ଲୋକଙ୍କ ନାମ ସାର୍ବଜନୀନ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର