ରୋଗୀ ଚିକିତ୍ସାରେ ଅବହେଳା ମହଙ୍ଗା ପଡ଼ିଲା; ୨୫ ଲକ୍ଷ ଟଙ୍କର କ୍ଷତିପୂରଣ ଦେବାକୁ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦେଲେ ଅଦାଲତ

ନୂଆଦିଲ୍ଲୀ: ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଜନୈକ ରୋଗୀଙ୍କୁ ମୁତ୍ୟୁ ମୁଖକୁ ଠେଲି ଦେଇଥିବା ଅଭିଯୋଗର ଶୁଣାଣି କରି ଏକ ଖାଉଟି ଅଦାଲତ ସଂପୃକ୍ତ ହସ୍ପିଟାଲକୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ ରୋଗୀଙ୍କ ନିକଟ ସଂପର୍କୀୟଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉତ୍ତର ପଶ୍ଚିମ ଦିଲ୍ଲୀରେ ରହୁଥିବା ନୀତୀନ୍‌ ଡାବ୍‌ଲା ନାମକ ଜନୈକ ବ୍ୟକ୍ତିଙ୍କର ଜଂଘରେ ବଥ ସଦୃଶ ଏକ ଘା’ ଉଠିଥିଲା। ଏହାର ଚିକିତ୍ସା ପାଇଁ ସେ ୨୦୧୧ ଫେବ୍ରୁଆରି ୯ ତାରିଖରେ ଦିଲ୍ଲୀରେ ଥିବା ଜୟପୁର ଗୋଲଡେନ୍‌ ହସ୍ପିଟାଲକୁ ଆସିଥିଲେ। ଚିକିତ୍ସା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ସେଇଦିନ ହସ୍ପିଟାଲରେ ଭର୍ତ୍ତି କରିଦେବା ସହ ସେହିଦିନ ସନ୍ଧ୍ୟାରେ ତାଙ୍କ ଜଂଘରେ ଏକ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ତାଙ୍କ ଶରୀରରେ ଏକ ରକ୍ତର ଆବଶ୍ୟକତା ପଡ଼ିଥିଲା। ତେବେ, ସେତେବେଳକୁ ହସ୍ପିଟାଲରେ ଆଉ କୌଣସି ବରିଷ୍ଠ ଡାକ୍ତର ନଥିଲେ। ଜଣେ କନିଷ୍ଠ ଡାକ୍ତର ତାଙ୍କୁ ରକ୍ତ ଦେଉଥିବା ବେଳେ ତାହା ତାଙ୍କ ଶରୀରରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଏବଂ ତାଙ୍କୁ ତୁରନ୍ତ ଅକ୍ସିଜେନ୍‌ର ଆବଶ୍ୟକତା ପଡ଼ିଥିଲା। ହେଲେ, ତାଙ୍କ ଶଯ୍ୟା ନିକଟରେ ଯେଉଁ ଅକ୍ସିଜେନ୍‌ ସିଲିଣ୍ଡରଟି ଥିଲା ତାହା ସଂପୂର୍ଣ୍ଣ ଖାଲି ଥିଲା। କିନ୍ତୁ, ଏ ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ ଥିଲେ କନିଷ୍ଠ ଡାକ୍ତର। ଇତିମଧ୍ୟରେ ରୋଗୀଙ୍କର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା। ରୋଗୀଙ୍କର ସ୍ୱାସ୍ଥାବସ୍ଥା ବିଗୁଡ଼ୁଥିବା ସଂପର୍କରେ ଖବର ପାଇ ହସ୍ପିଟାଲର ବରିଷ୍ଠ ଡାକ୍ତରମାନେ ଆସି ଯେତେବେଳେ ପହଞ୍ଚିଲେ, ସେତେବେଳକୁ ରୋଗୀ ନୀତୀନଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ଏହି ଘଟଣା ପରେ ମୃତ ନୀତୀନ୍‌ ଡାବ୍‌ଲାଙ୍କ ପରିବାର ବର୍ଗ ଦିଲ୍ଲୀ ଖାଉଟି ଅଦାଲତରେ ଜୟପୁର ଗୋଲଡେନ୍‌ ହସ୍ପିଟାଲ ବିରୋଧରେ ଏକ ମାମଲା ଆଗତ କରିଥିଲେ। ଖାଉଟି ଅଦାଲତର ସଦସ୍ୟ ଓ ପି ଗୁପ୍ତା ଓ ଅନୀଲ ଶ୍ରୀବାସ୍ତବ ଏହି ମାମଲାରେ ଜୟପୁର ଗୋଲଡେନ୍‌ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ନୀତୀନ ଡାବ୍‌ଲାଙ୍କ ନିକଟ ସଂପର୍କୀୟଙ୍କୁ କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଗତ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର