୧୯୮୧ରେ ଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନକୁ ଅପହରଣ କରି ନେଇଥିବା ଅଭିଯୁକ୍ତ ନିର୍ଦୋଷରେ ଖଲାସ୍

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ ୩୬ ବର୍ଷ ପୁରୁଣା ଅର୍ଥାତ୍‌ ୧୯୮୧ ମସିହାରେ  ଏୟାର ଇଣ୍ଡିଆ ବିମାନ ଅପହରଣ ମାମଲାରେ ଅଭିଯୁକ୍ତ  ଦୁଇଜଣଙ୍କୁ ଖଲାସ କରି ଦେଇଛନ୍ତି। ୧୯୮୧ରେ ୫ ଜଣ ଲୋକଙ୍କ ଦ୍ୱାରା ଏୟାର ଇଣ୍ଡିଆର ଏକ ବିମାନକୁ ନୂଆଦିଲ୍ଲୀରୁ ଅପହରଣ କରି ଅମୃତସର ବାଟ ଦେଇ ପ୍ରଥମେ ଶ୍ରୀନଗର ଓ ପରେ ପାକିସ୍ତାନ ଲାହୋରରେ ନେଇ ଅବତରଣ କରାଯାଇଥିଲା। ଯେଉଁଠାରେ ଅପହରଣକାରୀଙ୍କୁ ପାକିସ୍ତାନ ସୁରକ୍ଷାକର୍ମୀଙ୍କ ଦ୍ୱାରା ଗିରଫ କରାଯାଇ ତାଙ୍କୁ ଆଜୀବନ ଜେଲଦଣ୍ଡର ଶୁଣାଣି ହୋଇଥିଲା। ଏହି ମାମଲାରେ ପାକିସ୍ତାନ ଦୁଇ ଅଭିଯୁକ୍ତ ତଜିନ୍ଦର ପାଲ ସିଂହ ଓ ସତନାମ ସିଂହଙ୍କୁ ୨୦୦୦ରେ ଭାରତକୁ ଛାଡ଼ି ଦେଇଥିଲା। ଏହାପରେ ଅଦାଲତ ଦ୍ୱାରା ଦୁହିଁଙ୍କ ବିରୋଧରେ ଲାଗିଥିବା ଦେଶଦ୍ରୋହ ମାମଲା ହଟାଇ ଦିଆଯାଇଥିଲା। କିନ୍ତୁ ରାଷ୍ଟ୍ର ବିରୋଧରେ ଯୁଦ୍ଧ ଘୋଷଣା ମାମଲା ରୁଜୁ ହୋଇଥିଲା। ଏହାପରେ ଦୁଇ ଅଭିଯୁକ୍ତ ସେସନ୍‌ କୋର୍ଟରେ ଖଲାସ ପାଇଁ ଆବେଦନ କରିଥିଲେ।

ଅଭିଯୁକ୍ତଙ୍କ ଓକିଲ ମନିଷା ଭଣ୍ଡାରି ଅଦାଲତଙ୍କୁ କହିଥିଲେ କି, ଦୁଇ ଅଭିଯୁକ୍ତ ବିମାନ ଅପହରଣ ଲାଗି ଦଣ୍ଡ ପ୍ରଥମରୁ କାଟି ସାରିଛନ୍ତି। ଏହି ଆଧାରରେ ତାଙ୍କୁ ଖଲାସ କରି ଦିଆଯିବା ଉଚିତ। ଉଭୟଙ୍କ ପକ୍ଷରୁ ଶୁଣିବା ପରେ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଉଲ୍ଲେଖନୀୟ ୧୯୮୧ ମସିହା  ସେପ୍ଟେମ୍ବରରେ ଘଟିଥିବା ଏହି ବିମାନ ଅପହରଣରେ ୫ଜଣ ସାମିଲ ଥିବା ଜଣାପଡ଼ିଛି। ବିମାନ ଅପହରଣ କରି ଦାବି କରାଯାଇଥିଲା କି ଖଲିସ୍ତାନୀ ଅାତଙ୍କବାଦୀ ଜେନେରାଲ ସିଂହ ଭିଣ୍ଡରାବାଲାକୁ  ଛାଡି ଦିଆଯାଉ।  ତେବେ ବିମାନ ଅପହରଣ ଘଟଣାର ୯ଦିନ ପୂର୍ବରୁ ଜେନେରାଲ ସିଂହ ଭିଣ୍ଡରାବାଲାଙ୍କୁ ଜଣେ ଖବରକାଗଜ ସଂପାଦକଙ୍କୁ ହତ୍ୟା କରିଥିବା ଅପରାଧରେ ଗିରଫ କରାଯାଇଥିଲା।

 

ସମ୍ବନ୍ଧିତ ଖବର